ନବରଙ୍ଗପୁର (ଏଟିଆର ବ୍ୟୁରୋ ) ; ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ପାଖାପାଖି ୨୦ ଅଭିଯୋଗର ଶୁଣାଣି କରିଛନ୍ତି ।
ଏହି ଅବସରରେ ନବରଙ୍ଗପୁର ଡିଏସଏସଓ ଅଧିକାରୀ ନାରାୟଣ ବେହେରା , ଆରଡବ୍ଲ୍ୟୁଡି ନାରାୟଣ ଗଉଡ , ଜିଲ୍ଲା ଶିକ୍ଷା ଅଧିକାରୀ ଚନ୍ଦ୍ର ଶେଖର ପାଣିଗ୍ରାହୀ , ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ବେହେରା , ଡିଡିଏଚ ଗୋପାଳ ଚନ୍ଦ୍ର ମଣ୍ଡଳ ପ୍ରମୁଖଙ୍କ ସହ ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା କୃଷି ଅଧିକାରୀ ପ୍ରମୁଖ ଇତ୍ୟାଦି ଉପସ୍ଥିତ ରହିଥିଲେ । ତେବେ ଏହି ୨୦ଟି ମାମଲା ମଧ୍ୟରୁ ୭ ଟି ବ୍ୟକ୍ତିଗତ ମାମଲା ରହିଥିବା ବେଳେ ଗ୍ରାମ୍ୟ ବିତ୍ତିକ ମାମଲା ରେ ୧୦ ଟି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ପାଇଁ ୩ ଟି ମାମଲାର ଶୁଣାଣୀ କରାଯାଇଥିଲା ।
ସେହିପରି ଡଙ୍ଗରା ପଞ୍ଚାୟତରେ ପାନୀୟ ଜଳ ସମସ୍ୟାକୁ ନେଇ ଅଭିଯୋଗ , ଆଦର୍ଶ ବିଦ୍ୟାଳୟ କୁ ନେଇ ଜମି ସମସ୍ୟା , ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ନିଯୁକ୍ତି ଭଳି ସମସ୍ୟାର ସମାଧାନ ପାଇଁ ଅଭିଯୋଗ ରହିଥିଲା । ଅନ୍ୟପଟେ ଏହି ଅବସରରେ ଡାବୁଗାଁ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରହରି ପାତ୍ର , ଅତିରିକ୍ତ ତହସିଲଦାର , ସିଡିପିଓ , ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସା ଅଧିକାରୀ , ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଶୁଣାଣିରେ ସହଯୋଗ କରିଛନ୍ତି ।
ନବରଙ୍ଗପୁରରୁ ରଶ୍ମିରଞ୍ଜନ ସାମଲଙ୍କ ରିପୋର୍ଟ ।