ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କୁହାଯାଏ ଡାକ୍ତର ଭଗବାନଙ୍କ ଦ୍ୱୀତିୟ ରୂପ । ବର୍ତ୍ତମାନ କିନ୍ତୁ ଡାକ୍ତର ପ୍ରତି ଲୋକଙ୍କ ଭାବନା କିଛି ଅଲଗା ରହିଛି । ଡାକ୍ତରମାନେ ଆଉ ସେବା ମନମୃତ୍ତି ରଖୁନାହାନ୍ତି । ଖାଲି ଟଙ୍କା ପଛରେ ଗୋଡାଉଛନ୍ତି । ଯେଉଁଠି ଟଙ୍କା ସେଠାରେ ହିଁ ସେବା । ଖାସ ଏଥିପାଇଁ ତ’ ଚିକିତ୍ସାରେ ଅବହେଳା ଆଉ ରୋଗୀର ମୃତ୍ୟୁକୁ ନେଇ ଅଧିକାଂଶ ସମୟରେ ତୁମ୍ବିତୋଫାନ ଉଠେ । ଲୋକେ ଡାକ୍ତରଙ୍କୁ ଦାୟୀ କରି ହଙ୍ଗାମା କରନ୍ତି । ତେବେ ଜାଣିଲେ ଅଶ୍ଚର୍ଯ୍ୟ ହେବେ ଆଜି ବି ଏମିତି ଡାକ୍ତର ଅଛନ୍ତି ଯିଏକି ଏସବୁକୁ ଭୁଲ ପ୍ରମାଣିତ କରୁଛନ୍ତି ।
ଟଙ୍କା ନୁହେଁ ବରଂ ବରଂ ପେଶାକୁ ସେବା ଭାବେ ଗ୍ରହଣ କରିଛନ୍ତି । ଏମିତି ଜଣେ ଡାକ୍ତର ହେଉଛନ୍ତି ମାନସ ପ୍ରଧାନ । ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ କାର୍ଯ୍ୟ କରନ୍ତି । ୟୁରୋଲୋଜିଷ୍ଟ ସ୍ପେଶାଲିଷ୍ଟ ଭାବେ ବେଶ ଜଣାଶୁଣା ଡା ମାନସ ନିଜ ଡାକ୍ତରୀ ପାଠ ଶେଷ କରନ୍ତି ରାଜ୍ୟ ବାହାରୁ । ଏକଦମ ସାଧାସିଧା ଓ ସରଳ ସ୍ୱାଭାବର ଡା ମାନସ ରୋଗୀମାନଙ୍କ ସେବାକୁ ନିଶା ଭାବେ ଏବେ ଗ୍ରହଣ କରିଛନ୍ତି । ନିକଟରେ ସେ ଏମିତି କାର୍ଯ୍ୟକରି ଦେଖାଇଛନ୍ତି ଯାହା ବିରଳ । ଅତି କମ ଓଜନ ଥାଇ ଏକ ଛୋଟ ଶିଶୁର ସଫଳ କିଡନୀ ପ୍ରତିରୋପଣ କରି ସେ ଆଉ ପାଦେ ଆଗକୁ ଯାଇଛନ୍ତି ।
ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅସଙ୍ଗତ ବ୍ଲଡ ଗ୍ରୁପରରେ ପୁଣି ଏହି ଅପରେସନ କରିଛନ୍ତି ଡା ମାନସ । ସାଧାରଣତଃ କିଡନୀ ପ୍ରତିରୋପଣ ଲାଗି ଉଭୟ ଦାତା ଓ ଗ୍ରହଣକାରୀଙ୍କ ବ୍ଲଡଗ୍ରୁପ ସମାନ ହେବା ଆବଶ୍ୟକ । ଏହି କାରଣରୁ ପୂର୍ବରୁ ବହୁ ରୋଗୀ ହଇରାଣ ହେଉଥିବା ବେଳେ ଡା ମାନସଙ୍କ ଏଭଳି ସଫଳ ଚିକିତ୍ସା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅନ୍ୟ ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି ।