ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଢ଼ୋ ଢ଼ା ହୋଇ ଫୁଟୁଥାଏ ବାଣ । ତା’ ସାଙ୍ଗକୁ ହୋହାଲ୍ଲା । କାରଣ ଢ଼େର କିଛିଦିନ ପରେ ପୁଣି ଜନବସତୀ ମୁହାଁ ହୋଇଥିଲା ହାତୀ । ତାହା ପୁଣି ଦନ୍ତା । ଏମିତି ଏକ ଘଟଣା ନଜରକୁ ଆସିଛି ରାଜଧାନୀର ଘାଟିକିଆ ଅଂଚଳରେ ।
ଏକ ଦନ୍ତା ହାତୀର ଚଳ ପ୍ରଚଳକୁ ନେଇ ଏବେ ପୂରା ଅଂଚଳରେ କୋକୁଆ ଭୟ ଖେଳିଯାଇଛି । ସକାଳ ୮ଟା ବେଳେ ହାତୀକୁ ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗର ୧୨ଜଣିଆ ଟିମ୍ ପହଁଚି ହାତୀ ଉପରେ ନଜର ରଖିଥିଲା । ଯେତେ ଚେଷ୍ଟା କଲେ ବି ହାତୀ କୁଆଡେ ଯାଉନଥିଲା । ଶେଷରେ ବାଧ୍ୟହୋଇ ହାତୀକୁ ଘଉଡାଇବାକୁ ଲାଗି ବନ ବିଭାଗ ଅଦିନରେ ବାଣ ଫୁଟାଇଥିଲା ।
ଏହାପରେ ହାତୀଟି ଜଙ୍ଗଲକୁ ପଳାଇଥିବା ଜଣାପଡିଛି । କେବଳ ଏତିକି ନୁହେଁ, ୪ଦିନ ତଳେ ଭରତପୁର ଇଲାକାରେ ମଧ୍ୟ ହାତୀକୁ ଦେଖିବାକୁ ମିଳିଥିଲା । ବାରମ୍ବାର ହାତୀଟି ଏପରି ଆସୁଥିବା ନେଇ ସ୍ଥାନୀୟ ଲୋକେ ଭୟଭିତ ହୋଇପଡିଛନ୍ତି । ଖାଦ୍ୟ ଆଶାରେ ହାତୀ ପଳାଇ ଆସୁଥିବା ବନ ବିଭାଗ କହିଛି ।