ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଏମାନଙ୍କ ନାଁ ଶୁଣିଲେ କେବଳ କଟକ କି ଭୁବନେଶ୍ୱର ନୁହେଁ, ରାଜ୍ୟର ଅଧିକାଂଶ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି ହେଉଥିଲା । ଚୋରି, ଡକାୟତି, ହତ୍ୟାକାଣ୍ଡ ଭଳି ସଙ୍ଗୀନ ମାମଲାରେ ଉସ୍ତାଦ ଥିଲେ ଏମାନେ । ଢ଼େରଦିନ ହେଲା ଏମାନେ ପୁଲିସ ଟାର୍ଗେଟରେ ଥିଲେ । ଆଜି ସୁରାକ ମିଳିବା ପରେ ଏମାନଙ୍କୁ କରାଯାଇଛି ଏନକାଉଣ୍ଟର । ଏଥିରେ ଆହତ ଅଭିଯୁକ୍ତ ଦ୍ୱୟ ହେଲେ କଟକର ଅଲେଖ ରାଉତରାୟ ଓ ଲାଲବାଗର ବାବୁ ଖାନ । ସେମାନଙ୍କ ପାଖରୁ ପୁଲିସ ଗୋଟିଏ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି । ରାତି ପ୍ରାୟ ୯.୩୦ଟାରେ କଟକ ଚାଉଳିଆଗଞ୍ଜରେ ଏମାନଙ୍କୁ ଏନକାଉଣ୍ଟର କରାଯାଇଛି । ଚିକିତ୍ସା ଲାଗି କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଛି ।
ମହାନଦୀ କୁଳରେ ଦୁଇ ଅଭିଯୁକ୍ତ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ହାବୁଡରେ ପଡିଥିଲେ । ପୁଲିସ ସେମାନଙ୍କ ପାଖକୁ ଆସୁଥିବା ଦେଖି ଅଲେଖ ରାଉତରାୟ ବନ୍ଧୁକ କାଢ଼ି ପୁଲିସ ଉପରକୁ ଗୁଳି ଚଳାଇଥିଲା । ସେହି କ୍ଷଣି ବାବୁ ପୁଲିସ ଉପରକୁ ବୋମା ମାଡ଼ କରିଥିଲା । ଏସବୁରୁ ବର୍ତିବା ପରେ ପୁଲିସ ପାଲଟା ଅଭିଯୁକ୍ତଙ୍କ ଉପରକୁ ୪ରାଉଣ୍ଡ ଗୁଳି ଚଲାଇଥିଲା । ଦୁଇ ଜଣଙ୍କ ଗୋଡରେ ଗୁଳି ବାଜିବାରୁ ସେମାନେ ତଳେ ପଡିଯାଇଥିଲେ । ପୁଲିସ ସେମାନଙ୍କୁ କାବୁ କରି ନେଇଥିଲା । ଅଭିଯୁକ୍ତମାନେ ଟିଟୋ ଗ୍ୟାଙ୍ଗ ପାଇଁ କାମ କରୁଥିବା ଜଣାପଡିଛି । ଖାଲି ଏତିକି ନୁହେଁ ସେମାନଙ୍କ ନାଁରେ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଜିଲ୍ଲାରେ ୩୦ରୁ ଅଧିକ ମାମଲା ଥିବା କଟକ ଡିସିପି ସୂଚନା ଦେଇଛନ୍ତି ।