ଭୁବନେଶ୍ୱର,(ଏଟିଆରବ୍ୟୁରୋ): ସପିଙ୍ଗମଲ ପରେ ଏବେ ଭେଡିଂ ଜୋନରେ ଅଗ୍ନିକାଣ୍ଡ ଘଟିଛି । ଗୋଟିଏ କି ଦୁଇଟି ନୁହେଁ ୭ରୁ ଅଧିକ ଦୋକାନ ଜଳିପୋଡି ଛାରଖାର ହୋଇଯାଇଛି । ଯାହା ପୁରା ଅଞ୍ଚଳରେ ଆତଙ୍କ ଖେଳା ଦେଇଥିବା ଦେଖିବାକୁ ମିଳିଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ତଥାପି ନିଆଁ ଆୟତକୁ ଆସିନାହିଁ । ରିପୋର୍ଟ ଲେଖା ହେବା ସମୟରେ ଘଟଣାସ୍ଥଳରେ ମୋଟ ୪ଟି ଦମକଳ ଗାଡି ମୁତୟନ ରହିଥିବା ସୂଚନାମିଳିଛି । ୨୫ରୁ ଅଧିକ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ନିଆଁ ଲିଭାଇବାରେ ବ୍ୟସ୍ତ ରହିଥିବା ଜଣାପଡିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ଶନିବାର ଅପରାହ୍ନ ପ୍ରାୟ ୨ଟା ହେବ । ପଟିଆ ବିଗବଜାର ଛକରେ ଥିବା ଭେଡିଂ ଜୋନରୁ ଧୁଆଁ ବାହାରୁ ଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖରାଦିନ ଥିବାରୁ ନିଆଁ ଖୁବ କମ ସମୟରେ ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ନିଆଁ ଦେଖି ଘଟଣାସ୍ଥଳରେ ଲୋକେ ରୁଣ୍ଢ ହୋଇଯିବାରୁ ଟ୍ରାଫିକ ସମସ୍ୟ ଉପୁଜିଥିବା ଦେଖିବାକୁ ମିଳିଛି । ସେପଟେ ଦୋକାନ ଜଳିଯିବା ଯୋଗୁ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ଯାଇଥିବା ଖବର ମିଳିଛି । ତେବେ ସୌଭାଗ୍ୟବସତଃ ଖରାବେଳ ଯୋଗୁ ବାକି ଦୋକାନ ସବୁ ବନ୍ଦ କରିଥିଲା । ତେଣୁ ଲୋକଙ୍କ ଭିଡ଼ କମ ଥିଲା । ନଚେତ କଣ ଯେ ଏକ ବଡ଼ ଧରଣର ଅଘଟଣ ଘଟିନଥାନ୍ତା ତାହା କିଏ କହିବ?