ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ ଅକ୍ଟୋବର ୨ ବା ଗାନ୍ଧୀ ଜୟନ୍ତୀରୁ ସାରା ଦେଶରେ ପ୍ଲାଷ୍ଟିକ୍ ବ୍ୟାନ୍ କରାଯାଇଥିଲା । ମୋଦି ସରକାର ୨୦୨୨ ସୁଦ୍ଧା ପ୍ଲାଷ୍ଟିକ୍ ମୁକ୍ତ ଭାରତ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ ।
ଓଡ଼ିଶାରେ ପ୍ଲାଷ୍ଟିକ୍ ବ୍ୟାନ୍କୁ କଡାକଡି ଭାବରେ ପାଳନ କରାଯାଇଥିଲେ ବି ଏବେବି ବହୁ ଯାଗାରେ ପ୍ଲାଷ୍ଟିକ୍ ବ୍ୟବସାୟ ସକ୍ରିୟ । ସେଥିପାଇଁ ରାଜ୍ୟରେ କୁଢ କୁଢ ପ୍ଲାଷ୍ଟିକ୍ ଆବର୍ଜନା ମଧ୍ୟ ଉତ୍ପନ ହେଉଛି ।
ଏହି ସମସ୍ୟାର ସମାଧାନ କରିବା ପାଇଁ ବା ଲୋକଙ୍କୁ ସଚେତନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ନିଆରା ପଦକ୍ଷପ ଗ୍ରହଣ କରାଯାଇଛି । ବିଏମସି ଓ ୟୁଏନଡିପି ର ମିଳିତ ପଦକ୍ଷପରେ ଏହି ଯୋଜନା ଆରମ୍ଭ ହୋଇଛି ।
ମାତ୍ର ଅଧକିଲୋ ପ୍ଲାଷ୍ଟିକ୍ ବଦଳରେ ପେଟପୁରା ଖାଇବାକୁ ଦିଆଯାଉଛି । ଭୁବନେଶ୍ୱରର ପ୍ରାୟ ସବୁ ଆହାର କେନ୍ଦ୍ରରେ ଏପରି ବ୍ୟବସ୍ଥା କରାଯାଇଛି ।
ସେପଟେ ପରିବେଶ ସୁରକ୍ଷା ପାଇଁ ଏଭଳି ଏକ ପଦକ୍ଷପକୁ ସାଧାରଣ ମହଲରେ ସ୍ୱାଗତ କରାଯାଇଛି । ଏହା ଦ୍ୱାରା ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟବହାର କମା ଯାଇପାରିବ ବୋଲି ଅନେକ ଲୋକ ମତ ଦେଉଛନ୍ତି ।