ଅହମଦାବାଦ,୨୪ା୨/ଏଜେନ୍ସି: ଗୁଜରାଟ ଅନ୍ତର୍ଗତ ବଡଗାମର ବିଧାୟକ ଓ ଦଳିତ ନେତା ଜିଗ୍ନେଶ ମେୱାନିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଗୁଜରାଟ ପୁଲିସ୍ ତାଙ୍କୁ ଏନକାଉଣ୍ଟର୍ ଜରିଆରେ ହତ୍ୟା କରିବାକୁ ଚାହୁଁଛି । ଏଭଳି ସାଂଘାତିକ ଅଭିଯୋଗ ଖୋଦ୍ ଜିଗ୍ନେଶ ମେୱାନି ଟ୍ୱିଟର ଜରିଆରେ ସର୍ବସମ୍ମୁଖରେ ଉପସ୍ଥାପନ କରିଛନ୍ତି ।
ଏଡିଆର୍ ପୁଲିସ୍ ଓ ମିଡିଆ ନାଁରେ ଥିବା ଏକ ହ୍ୱାଟ୍ସଆପ୍ ଗ୍ରୁପରେ ଏ ସଂକ୍ରାନ୍ତ କଥାବାର୍ତ୍ତା ଶୁକ୍ରବାର ଭାଇରାଲ୍ ହେବା ପରେ ଜିଗ୍ନେଶ ଆଜି ଏଭଳି ଅଭିଯୋଗ ଆଣିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଦୁଇ ଜଣ ପୁଲିସ୍ ଅଫିସର ମୋତେ ଏନ୍କାଉଣ୍ଟର ଦ୍ୱାରା କେମିତି ହତ୍ୟା କରାଯିବ, ସେ ବାବଦରେ ଏବେ ଆଲୋଚନା କରୁଛନ୍ତି । ଏହା କ’ଣ ଆପଣ କେବେ ବିଶ୍ୱାସ କରିପାରିବେ? କିନ୍ତୁ ମୁଁ ଯେଉଁ ଲିଙ୍କ ପଠାଇଛି, ତାକୁ ଦେଖିଲା ପରେ ହୁଏତ ମୋ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ର ସମ୍ପର୍କରେ ଲୋକମାନେ ବିଶ୍ୱାସ କରିବେ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏହାପରେ ମେୱାନ ଗୁଜରାଟ ଡିଜିପି, ଗୃହମନ୍ତ୍ରୀ ଓ ଗୃହ ସଚିବଙ୍କ ନିକଟରେ ଏ ସଂକ୍ରାନ୍ତରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଫେବୃଆରୀ ୧୮ ତାରିଖରେ ମେୱାନି ଦଳିତ ଛାତ୍ରଙ୍କୁ ହତ୍ୟା ଘଟଣାର ପ୍ରତିବାଦରେ ଅହମଦାବାଦ ବନ୍ଦର ଡାକରା ଦେଇଥିଲେ । ଏହି ସମୟରେ ପୁଲିସ୍ ତାଙ୍କୁ ଅଟକ ରଖିଥିଲା । ଏହାପରେ ପୁଲିସ୍ ଓ ମେୱାନିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହି ଦୃଶ୍ୟର ଏକ ଭିଡିଓ ଭାଇରାଲ୍ ମଧ୍ୟ ହୋଇଥିଲା । ଏହାପରେ ବିଜେପି ବିରୋଧରେ ମେୱାନି କର୍ଣ୍ଣାଟକରେ ପ୍ରଚାର କରିବେ ବୋଲି ମଧ୍ୟ କହିଥିଲେ । ଏହାକୁ ଦୃଷ୍ଟିରେ ରଖି ପୁଲିସ ତାଙ୍କର ଏନକାଉଣ୍ଟର କରିବାକୁ ଚାହୁଁଥିବା, ହ୍ୱାଟ୍ସଆପ୍ ଗ୍ରୁପରେ ପ୍ରଚାର ହୋଇଥିଲା ।