ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା । ବଙ୍ଗୋପସାଗର ଓ ଏହାର ଆଖପାଖରେ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସଂନ୍ଧ୍ୟା ସୁଦ୍ଧା ଘନୀଭୁତ ହେବାକୁ ଯାଉଛି । ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅବପାତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଉପକୂଳ ଓଡିଶାରେ ପ୍ରବେଶ କରିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସେପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡିଶାର ୭ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସେସବୁ ଜିଲ୍ଲା ଗୁଡିକ ହେଲେ ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, କଳାହାଣ୍ଡି, କୋରାପୁଟ ଓ କନ୍ଧମାଳ । ଏହି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କହିଛି ଭାରତୀୟ ପାଣିପାଗ ବିଭାଗ ।ସେହିପରି ମାଲକାନଗିରି, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ,ଭଦ୍ରକ ଓ ବାଲେଶ୍ୱର ପାଇଁ ଅରେଞ୍ଜ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେପଟେ ରାଜ୍ୟର ଅନେକ ସ୍ଥାନରେ ଘଡଘଢି ମାରିବା ସହ ମଧ୍ୟମ ଧରଣର ପବନ ମଧ୍ୟ ବୋହିବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ସୂଚନା ଜାରି କରିଛି । ଖାଲି ସେତିକି ନୁହେଁ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟକୁ ନଯିବା ଲାଗି ପାଣିପାଗ ବିଭାଗ ବାରଣ କରିଛି ।