ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ରାଜ୍ୟରେ ପୁଣି ବର୍ଷିବ ଲଘୁଚାପ ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଲଘୁଚାପ । ସାରା ରାଜ୍ୟରେ ଦୁଇଦିନ ଧରି ବର୍ଷା ହେବାର ସମ୍ଭାବନା ଥିବା ଅନୁମାନ କରିଛି ଅଞ୍ଚଳିକ ପାଣିପାଗ ବିଭାଗ । ଏଥିପାଇଁ ସତର୍କ ସୂଚନା ମଧ୍ୟ ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇ ସକ୍ରିୟ ହେବାରେ ଲାଗିଥିବାରୁ ଏହାର ପ୍ରଭାବରେ ଆସନ୍ତା ୨୦ ଓ ୨୧ ତାରିଖରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି । ଆସନ୍ତାକାଲି ରାଜ୍ୟର ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ପରଦିନ ଅର୍ଥାତ ୨୧ ତାରିଖ ଦିନ ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି ।
ସେପଟେ ରାଜ୍ୟର ଅନେକ ସ୍ଥାନରେ ଘଡଘଢି ମାରିବା ସହ ମଧ୍ୟମ ଧରଣର ପବନ ମଧ୍ୟ ବୋହିବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ସୂଚନା ଜାରି କରିଛି । ଖାଲି ସେତିକି ନୁହେଁ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟକୁ ନଯିବା ଲାଗି ପାଣିପାଗ ବିଭାଗ ବାରଣ କରିଛି । ସେପଟେ ସତର୍କ ରହିବାକୁ ଜିଲ୍ଲା ପାଳ ମାନଙ୍କୁ SRC ପକ୍ଷରୁ ଚିଠି ଲେଖି ପରାମର୍ଶ ମଧ୍ୟ ଦିଆଯାଇଥିବା ଜଣାପଡିଛି ।