ଭୁବନେଶ୍ୱର,୧୦ା୨/(ବ୍ୟୁରୋ): ନିଜ ଏରିଆ ଭିତରେ ରହିଛି ଅନେକ ସମ୍ବେଦନଶୀଳ ସ୍ଥାନ । ହସପିଟାଲଠୁ ନେଇ ୟୁନିଭରସିଟି ପୁଣି ବସ୍ତିଠୁ ନେଇ ପର୍ଯ୍ୟଟନସ୍ଥଳୀ । ଏତିକି ନୁହେଁ ରିପୋର୍ଟ କହୁଛି ଗତ ୬ମାସ ଭିତରେ ଅନେକ ଅଘଟଣ ଘଟିଛି ସ୍ଥାନୀୟ ଅଞ୍ଚଳରେ । ଅପରାଧୀଙ୍କୁ ଏନକାଉଣ୍ଟରଠୁ ନେଇ ଡକାୟତୀ ଏପରିକି ଏମଏମଏସ ମଧ୍ୟ ଭାଇରାଲ ହୋଇଛି । ଏପରି ପରିସ୍ଥିତିରେ ଯଦି କୌଣସି ହିତାଙ୍କାଖି ଅପରାଧୀଙ୍କ ସମ୍ପର୍କରେ ହେଉ ଅବା ଆଉ କିଛି, କୌଣସି ସୂଚନା ଦେବାକୁ ଚାହୁଁଥିବେ ସେ କରିବେ କ’ଣ?
ଆମେ ଏଥିପାଇଁ ଏହି ପ୍ରଶ୍ନ ଉଠାଉଛୁ ଯେ ଢ଼େରଦିନ ହେବ ଅଭିଯୋଗ ଉଠୁଛି ଥାନା ଅଧିକାରୀ ଫୋନ ଉଠାଉନାହାନ୍ତି । ଘଟଣାର ସତ୍ୟାସତ୍ୟ ନେଇ ଏଟିଏଆର ନ୍ୟୁଜ ମଧ୍ୟ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚାହିଁଥିଲା ଥାନା ଅଧିକାରୀଙ୍କୁ । କିନ୍ତୁ ସମାନ ଘଟଣା, ଥାନା ଅଧିକାରୀ ଫୋନ ଉଠାଇ ନଥିଲେ । ସର୍ବସାଧାରଣଙ୍କ ପାଇଁ ଖାକି ପିନ୍ଧିଥିବା ଓ ସର୍ବଦା ତତ୍ପରତା ଥିବା କହୁଥିବା ଏହି ବାବୁ କାହିଁକି ଫୋନ୍ ଉଠାଉ ନାହାନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ?
ଏ ହେଉଛି ଖଣ୍ଡଗିରି ଥାନା ଅଧିକାରୀଙ୍କ କଥା । ତେବେ ପୂର୍ବରୁ ଯାତ୍ରା ପାସକୁ ଢ଼ାଲ କରି ଫୋନ ଉଠାଉନଥିବା କଥା ଆଇଆଇସି କହି ଏଡାଇ ଯାଇଥିଲେ । ସେତେବେଳେ ଏଟିଏଆର ନ୍ୟୁଜ ପ୍ରଶ୍ନ କରିଥିଲା ପବ୍ଲିକ ସର୍ଭିସ ଲାଗି ନା’ ଯାତ୍ରା ପାସ ଲାଗି ବାବୁ ଡ୍ୟୁଟି କରୁଛନ୍ତି ତାହାର ଉତ୍ତର ଏଯାବତ ମିଳିଲା ନାହିଁ । ସେପଟେ ପୁଣି ଆଉ ଘଟଣା ପଦାକୁ ଆସିଛି । ଅଭିଯୋଗ ହୋଇଛି ଯେଉଁ ବାବୁ ପାସ ଡରରେ ଫୋନ ଉଠାଉନଥିଲେ ସେହି ବାବୁ ପୁଣି ଯାତ୍ରା ପେଣ୍ଡାଲରେ ଘଣ୍ଟା ଘଣ୍ଟା ଛିଡା ହୋଇ ସମ୍ମାନିତ କିପରି ହେଲେ? ସେତେବେଳକୁ ବାବୁଙ୍କ ସମୟ ମିଳିଲା କିପରି? ଥାନା ଅଧିକାରୀଙ୍କୁ ସିଧାସଳଖ ଯୋଗାଯୋଗ କରିବାକୁ ବଡବଡିଆ ବାବୁମାନେ ୱେବସାଇଟରେ ନମ୍ବର ଉଲ୍ଲେଖ କରିଥିବା ବେଳେ ଥାନା ବାବୁ ଫୋନ ନଉଠାଇବା ଘଟଣା ଲୋକଙ୍କୁ ଆଚମ୍ବିତ କରିଛି । ଏହା ଉପରେ ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।