କୁପୱାଡା (ଏଟିଆର ବ୍ୟୁରୋ ) ; ଆତଙ୍କବାଦୀଙ୍କୁ ନିପାତ କରୁଛନ୍ତି ଭାରତୀୟ ଯବାନ । ସୀମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେ ୩ ଜଣ ଆତଙ୍କବାଦୀ । ଅନୁପ୍ରବେଶ ବିରୋଧୀ ଅପରେସନକୁ ମିଳିଛି ସଫଳତା । ଆଜି କୁପୱାଡା ଜିଲ୍ଲାର ଏଲଓସି ନିକଟରେ ଅପରେସନ ଚଳାଇଥିଲେ ଭାରତୀୟ ଯବାନ । ଏଥିରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ଅନ୍ୟପଟେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଭାରତୀୟ ସୁରକ୍ଷାକର୍ମୀ ମଧ୍ୟ ସହିଦ ହୋଇଥିବା ଜଣାପଡିଛି ।
ଗତକାଲି ପାକିସ୍ତାନରୁ ତଙ୍ଗଧର ସେକ୍ଟର ସ୍ଥିତ ଏଲଓସି ପାର ହୋଇ ଆତଙ୍କବାଦୀମାନେ ଭାରତୀୟ ସୀମାକୁ ଅନୁପ୍ରବେଶ କରୁଥିବା ସୂଚନା ପାଇ ସୁରକ୍ଷାକର୍ମୀ ଅପରେସନ ଚଳାଇଥିଲେ । ଏହି ଅପରେସନରେ ଗତକାଲି ୨ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷାକର୍ମୀ ମାରିଦେଇଥିଲେ । ତେବେ ଆଜି ସେହି ସ୍ଥାନରେ ଆଉ ୩ ଜଣ ଆତଙ୍କବାଦୀ ଲୁଚିରହିଥିବା ଜାଣି ସୁରକ୍ଷାକର୍ମୀ ସେମାନଙ୍କ ଉଦ୍ୟମକୁ ପଣ୍ଡ କରିବା ପାଇଁ ସେଠାରେ ପହଞ୍ଚିଥିଲେ । ସେଠାରେ ଲୁଚି ରହିଥିବା ଅନ୍ୟ ୩ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ନିପାତ କରିଥିଲେ ।
ସେପଟେ ଆତଙ୍କବାଦୀଙ୍କ ପାଲଟା ଆକ୍ରମଣରେ ଜଣେ ଭାରତୀୟ ସୁରକ୍ଷାକର୍ମୀ ସହିଦ ହୋଇଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ଏବେ ମଧ୍ୟ ଅପରେସନ ଜାରି ରହିଛି । ଗତକାଲି ଓ ଆଜିକୁ ମିଶାଇ ମୋଟ ୫ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।