ଭୁବନେଶ୍ୱର,(ଏଟିଆର ଏକ୍ସକ୍ଲ୍ୟୁସିଭ): ଛୋଟ ପିଲାଟି । କ’ଣ ବା ସେ ଜାଣିଛି । ତା ପ୍ରତି ଏଭଳି ବ୍ୟବହାର? ବିଧା ଗୋଇଠାରେ ମନ ବୁଝିଲା ନାହିଁ ଯେ, ଶେଷରେ ତଣ୍ଟି ଚିପିବାକୁ ପଛାଇଲା ନାହିଁ ସଇତାନ ଦାଦା । ଏମିତି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ପୁରୀରେ ।
ଯାହାର ଏକ୍ସକ୍ଲ୍ୟୁସିଭ ଭିଡ଼ିଓ ଫୁଟେଜ ଲାଗିଛି ଏଟିଆର ନ୍ୟୁଜ ହାତରେ । ଅଢ଼େଇ ବର୍ଷର ଏହି ପିଲାକୁ ପାଠ ପଢ଼ିବାକୁ କୁହାଯାଇଥିଲା । ପିଲାଟିକୁ ପାଠ ପଢ଼ାଉଥିଲେ ନିଜ ଦାଦା । କ’ଣ ହେଲା କେଜାଣି ହଠାତ ଦାଦା ଉତ୍ୟକ୍ତ ହୋଇ ପଡିଲେ । ବାସ ଏହାପରେ ଆରମ୍ଭ ହୋଇଥିଲା ପିଲାଟି ଉପରେ ବିଧା ଗୋଇଠାର ବର୍ଷା । କଇଁ କଇଁ ହୋଇ ପିଲାଟି କାନ୍ଦୁଥିଲେ ବି ସଇତାନ ଦାଦା ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା । ବରଂ ଅମାନୁଷିକର ଶେଷ ପାହାଚରେ ଛିଡ଼ା ହୋଇଥିଲା ଦାଦା । ଛୁଆଟିର ତଣ୍ଟି ଚିପିବାକୁ ମଧ୍ୟ ପଛାଇନଥିଲା ସେ । ପୁଣି ଥରେ କହି ରଖୁଛୁ ପୂରା ଘଟଣାର ଭିଡ଼ିଓ ଫୁଟେଜ ଲାଗିଛି ଏଟିଆର ନ୍ୟୁଜ ହାତରେ ।
ତେବେ ୧ମିନିଟ ୯ ସେକେଣ୍ଡର ଏହି ଭିଡ଼ିଓ ପ୍ରମାଣ କରୁଛି କେତେ ନୃଶଂସ ଭାବେ ସଇତାନ ଦାଦାଟି ତା’ର ପୁତୁରାକୁ ମାଡ଼ ମାରୁଛି । ଆମେ ପାଠ ପଢ଼ାଇବା ଲାଗି ପିଲାଙ୍କୁ ଶାସନ କରିବା କଥାକୁ ଭୁଲ ବୋଲି କହୁନାହୁଁ । କିନ୍ତୁ ନିଜର ହିତାହିତ ଜ୍ଞାନ ଭୁଲି ଆମର ଇଚ୍ଛାକୁ ଛୋଟ ପିଲାଙ୍କ ଉପରେ ଲଦିଦେବା ନିହାତି ଏକ ବୋକାମିର ପରିଚୟ ।