ଭୁବନେଶ୍ୱର (ଏଟିଆର ନ୍ୟୁଜ) ଶିକ୍ଷା ଓ ଅନୁସନ୍ଧାନ ବିରୁଦ୍ଧରେ ସାଂଘାତିକ ଅଭିଯୋଗ । ଡ୍ରେନ ମାଡି ବସିଛି ଆଇଟିଇଆର ଶିକ୍ଷାନୁଷ୍ଠାନ । ଡ୍ରେନ ଉପରେ ନିର୍ମାଣ ହୋଇଛି ପାଚେରୀ, ନିର୍ମାଣ ହୋଇଛି ସୁଉଚ୍ଚ ଅଟ୍ଟାଳିକା । ସବୁ ଦେଖିବି ଚୁପ ବସିଛି ବିଏମସି ଓ ବିଡିଏ । ଜବରଦଖଲ ହଟେଇବ କଣ ଓଲଟି ଜବରଦଖଲକାରୀଙ୍କ ସପକ୍ଷରେ ସ୍ଥାନୀୟ ଲୋକଙ୍କ ସହ ଯୁକ୍ତି କରୁଛନ୍ତି ବିଏମସି ଅଧିକାରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ସୁଖ୍ୟାତି ଲାଭ କରିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ । ହେଲେ ଏହାର କିଛି ହଷ୍ଟେଲ ଡ୍ରେନ ଉପରେ ଜବରଦଖଲ କରି ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ଏହା ହେଉଛି ଭୁବନେଶ୍ୱରର ଖଣ୍ଡଗିରି ଅଂଚଳରେ ଥିବା ଆଇଟିଇଆରର ପଛପଟ ।
ଡ୍ରେନକୁ ଜବରଦଖଲ କରି ଏହି ହଷ୍ଟେଲ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ବର୍ଷାଜଳ ନିଷ୍କାସନରେ ସମସ୍ୟା ହେଉଥିବା କହିଛନ୍ତି ଲୋକେ । ମ୍ୟାପରେ ଡ୍ରେନର ଓସାର ପାଖାପାଖି ୩୦ ଫୁଟ ଥିବା ବେଳେ ଆଇଟିଇଆର ଏହାକୁ ମାଡି ବସି ସଙ୍କୁଚିତ କରିଛି । ଯେଉଁଥିପାଇଁ ଗତ କିଛିଦିନ ତଳେ ବର୍ଷାରେ ଉବୁଟୁବୁ ହୋଇଥିବା ୱାର୍ଡ ନମ୍ବର ୬୪ରେ ଥିବା ଜଗମୋହନ ନଗର ।
ବର୍ଷାପାଣି ଛାଡିବା ପରେ ତଦନ୍ତ କରିବାକୁ ଆସିଥିବା ବିଏମସିର ଏହି ଅଧିକାରୀଙ୍କୁ ଲୋକେ ଜବରଦଖଲ ହଟାଇବା ପାଇଁ କହିଥିବା ବେଳେ ଅଧିକାରୀ ଜଣକ କେମିତି ଜବରଦଖଲକାରୀ ପ୍ରେମ ଦେଖାଇଛନ୍ତି ତାହା ଉକ୍ତ ଭିଡିଓରେ ଦେଖାଯାଉଛି ।
ଅଧିକାରୀ ଜଣକ କହୁଛନ୍ତି ଯଦି ଜବରଦଖଲ ହଟାଯାଏ ତେବେ ସେମାନେ ସମସ୍ୟାରେ ପଡିପାରନ୍ତି । ଖାଲି ସେତିକି ନୁହେଁ, ଜଣେ ମହିଳା ବାରମ୍ବାର ଜବରଦଖଲ ଉଚ୍ଛେଦ ପ୍ରସଙ୍ଗ ଉଠାଇବାରୁ ମହିଳାଙ୍କୁ ଧମକ ଦେଇ ତାଙ୍କ ଘର ପରେ ଭଙ୍ଗା ହେବ ପ୍ରଥମେ ତୁମ ଘରୁ ଭଙ୍ଗା ଆରମ୍ଭ ହେବ ବୋଲି କହୁଥିବା ବି ଦେଖିବାକୁ ମିଳିଛି ।
ଏଠି ପ୍ରଶ୍ନ ଉଠୁଛି ଜବରଦଖଲକାରୀଙ୍କ ପାଇଁ ଏହି ବାବୁଙ୍କର ଏତେ ପ୍ରେମ କାହିଁକି ? ଜବରଦଖଲକାରୀଙ୍କ ପାଇଁ ଲାଭ ପାଉଛନ୍ତି କି ବାବୁ ? ଜବରଦଖଲ ହଟାଇବାକୁ ଜିଦ କରିବାକୁ ମହିଳାଙ୍କୁ ବାବୁଗିରି ଦେଖାଇବା ପଛରେ କଣ ରହିଛି ଖାସ କାରଣ ? ସରକାରୀ ଯାଗାକୁ ମାଡି ବସିଥିବା ଲୋକ ପ୍ରତି ବିଏମସି ଅଧିକାରୀଙ୍କ ଏ ପ୍ରିତୀର ଫୁଆର ପଛରେ ଆଉ କିଛି ନାହିଁ ତ ? ଅପେକ୍ଷା କେବେ ଶିକ୍ଷା ଓ ଅନୁସନ୍ଧାନ ଜବରଦଖଲ କରି ନିର୍ମାଣ କରିଥିବା ଏହି ପାଚେରୀ ଉପରେ କେବେ ବୁଲିବ ବିଏମସିର ବୁଲଡୋଜର ।