ଯାଜପୁର,(ଏଟିଆର ବ୍ୟୁରୋ): ରାତିରେ ଘରେ ଖାଇପିଇ ଶୋଇଥିଲେ । ହେଲେ କ’ଣ ହେଲା କେଜାଣି ସକାଳୁ ହାତଗୋଡ ଓ ମୁହଁ ବନ୍ଧା ଅବସ୍ଥାରେ ବାଡିପଟୁ ଉଦ୍ଧାର ହେଲେ ଯୁବକ । ତେବେ କିଏ ବାନ୍ଧିଲା? କାହିଁକି ବାନ୍ଧିଲା? ଘରେ ଶୋଇଥିବା ଯୁବକ ବାଡିପଟକୁ ଗଲେ କିପରି? ସେନେଇ କିଛି ବି ସ୍ପଷ୍ଟ ହୋଇନାହିଁ । ଏମିତି ଏକ ଘଟଣା ନଜରକୁ ଆସିଛି ଯାଜପୁର ସଦର ଥାନା ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତର ପଦନା ଗାଁରେ ।
ପୂରା ଘଟଣାଟି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଉଦ୍ଧାର ଯୁବକଙ୍କ ନାଁ ପଞ୍ଚାନନ ମଲ୍ଲିକ ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ, ଘଟଣାଟି ପ୍ରାୟ ରାତି ୧୨ରୁ ସାଢ଼େ ୧୨ ମଧ୍ୟରେ ଘଟିଛି । କାମଧନ୍ଦା ସାରି ପଞ୍ଚାନନ ଘରେ ଶୋଇଥିଲେ । ତେବେ ସକାଳେ ଗାଁ ଲୋକେ ଉଠି ଦେଖନ୍ତି ପଞ୍ଚାନନ ହାତଗୋଡ ବନ୍ଧା ଅବସ୍ଥାରେ ବାଡିପଟେ ପଡି ଛଟପଟ ହେଉଛନ୍ତି । ଲୋକେ ପଞ୍ଚାନନଙ୍କୁ ଉଦ୍ଧାର କରିଥିଲେ । ଏ ସମ୍ପର୍କରେ ପଞ୍ଚାନନ ବି କିଛି ଜାଣିନଥିବା କହିଛନ୍ତି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠି ବି ସେହି ଗୁଜବ ଜୋର ଧରିଛି । ବାହାର ରାଜ୍ୟର ଲୋକେ ଏଭଳି କାଣ୍ଡ ଭିଆଇଥିବା ଭାବି ଲୋକେ ଆତଙ୍କିତ ରହିଛନ୍ତି । ବାରମ୍ବାର ପୁଲିସର ସଚେତନତା ପରେ ବି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କଥାରେ ଏବେ ବି ଲୋକ ଭରସା କରିବା ଘଟଣା ସବୁଠୁ ର୍ଦୁଭାଗ୍ୟ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି । ରିପୋର୍ଟ : ଶ୍ରୀନାଥ ଶତପଥୀ