ମୁମ୍ବାଇ,(ଏଟିଆରବ୍ୟୁରୋ): ବିମାନରେ ବସିଥିଲେ । ହେଲେ ଅଚାନକ ଯାତ୍ରୀଙ୍କ କାନ ଓ ନାକରୁ ରକ୍ତ ବାହାରିଥିଲା । ଅନେକ ଯାତ୍ରୀଙ୍କର ତ’ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥିଲା । ଏଭଳି ଘଟଣା ସାମ୍ନାକୁ ଆସିଛି ଜେଟ ଏୟାରୱେଜ ବିମାନରରେ । ସେପଟେ କାହିଁକି ଏଭଳି ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ଏୟାରକାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ।
ତେବେ କ୍ରୁ ମେମ୍ବରଙ୍କ ଦାୟିତ୍ୱହୀନତା ଓ ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଏହି ଘଟଣାରେ ବିମାନରେ ଥିବା କ୍ରୁ ମେମ୍ବରଙ୍କୁ ବାହାର କରି ଦିଆଯାଇଥିବା ଡିଜିସିଏର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ, ଆଜି ସକାଳେ ଜେଟ ଏୟାରୱେଜ ବିମାନ ୯ଡବ୍ଲ୍ୟୁ ୬୯୭ମୁମ୍ବାଇରୁ ଜୟପୁରକୁ ଉଡାଣ ଭରିଥିଲା । ବିମାନରେ ଥିଲେ ପାଖାପାଖି ୧୬୬ଜଣ ଯାତ୍ରୀ ।
ତେବେ ବିମାନ ଉଡାଣ କରିବା ସମୟରେ ବିମାନର କ୍ରୁ ମେମ୍ବର କ୍ୟାବିନର ପ୍ରେସରକୁ ଠିକ ରଖିବା ଲାଗି ଥିବା ସ୍ୱିଚକୁ ଅନ କରିନଥିଲେ । ଫଳରେ ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ଜଣଙ୍କ ଅବସ୍ଥା ବିଗିଡି ଯାଇଥିଲା । କାନ ନାକରୁ ରକ୍ତ ବାହାରିଥିଲା । ତେବେ ଅସୁସ୍ଥ ହୋଇ ପଡିଥିବା ଯାତ୍ରୀଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିମାନ ଉଡାଣ ଭରିବାର କିଛି ସମୟ ପରେ ପୁଣି ଜରୁରିକାଳୀନ ଅବସ୍ଥାରେ ବିମାନକୁ ଅବତରଣ କରାଯାଇଥିଲା ।