ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ତାଣ୍ଡବ ରଚିବ କାଳବୈଶାଖି । ୨୬ଟି ଜିଲ୍ଲାରେ ହେବ ଝଡ଼ତୋଫାନ ସାଙ୍ଗକୁ କୁଆ ପଥର ବର୍ଷା । ଏତିକି ନୁହେଁ ଏହି ସମୟରେ ପବନର ବେଗ ପାଖାପାଖି ୫୦ରୁ ୬୦ ରହିବ ବୋଲି ଚେତାଇ ଦେଇଛି ପାଣିପାଗ ବିଭାଗ । ବରଗଡ଼, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡା, ଢ଼େଙ୍କାନାଳ, ମୟୁରଭଞ୍ଜ, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର, ନୂଆପଡା ଆଦି ଜିଲ୍ଲାରେ ସର୍ତକତା ଜାରି କରାଯାଇଛି ।
ଏହାସହ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ମଧ୍ୟ ସର୍ତକ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ରାଜଧାନୀରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଛି । ଯାହାର ପ୍ରଭାବରେ ଅନେକ ସ୍ଥାନରେ ଗଛ ଉପୁଡି ପଡିଥିବା ବେଳେ ରାସ୍ତାଘାଟରେ ପାଣି ଲହଡି ମାରୁଛି । ଯାହା ଜନଜୀବନୁ ଅସ୍ତବ୍ୟସ୍ତ କରିପକାଇଛି । ଯାଜପୁର ଓ କେନ୍ଦୁଝରରେ ଆକାଶ ମେଘାଚ୍ଛନ ରହିଛି । କୌଣସି ସମୟରେ ବର୍ଷା ହୋଇପାରେ ।
ରିପୋର୍ଟ କହୁଛି ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଯୋଗୁ ୬୮ଜଣଙ୍କ ଜୀବନ ଯାଇଛି । ବହୁ ଅଞ୍ଚଳରେ ଅନେକ କ୍ଷତି ହୋଇଛି । ଉତ୍ତରପ୍ରଦେଶରେ ୩୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ୮ଜଣ ପର୍ଯ୍ୟଟକ ଥିବା ସୂଚନା ମିଳିଛି । ସେହିପରି ପଶ୍ଚିମବଙ୍ଗରେ ୧୨ଜଣ, ଆନ୍ଧ୍ରପ୍ରଦେଶରେ ୯ଜଣ ଓ ଦିଲ୍ଲୀରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ କାଳବୈଶାଖୀ ତାଣ୍ଡବରେ ୨ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି ।