ପୁରୀ (ଏଟିଆର ବ୍ୟୁରୋ): ମଥୁରା ନଗରୀରେ ଧର୍ମର ବିଜୟ ହେବା ପରେ ଉଦଯାପିତ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ମହାରାଜା କଂସଙ୍କୁ କୃଷ୍ଣ ଓ ବଳରାମ ବଧ କରିବା ପରେ ୧୧ଦିନ ଧରି ଚାଲିଥିବା ବରଗଡର ଧନୁଯାତ୍ରାର ଶେଷ ଘଟିଛି । ଯାତ୍ରା ଶେଷ ହେବା ପରେ ପ୍ରଚଳିତ ପରମ୍ପରା ଅନୁସାରେ କଂସ ଭୁମିକାରେ ଅଭିନୟ କରୁଥିବା କଳାକାର ପୁରୀ ଆସି ମହୋଦଧିରେ ସ୍ନାନ କରି ପାପ ଧୋଇବା ସହ ଶ୍ରୀଜୀଉଙ୍କର ଦର୍ଶନ କରିଛନ୍ତି । ଏଥର କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ପୁରୀ ଆସି ମହୋଦଧିରେ ସ୍ନାନ କରିବା ସହ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କର ଦର୍ଶନ କରି କ୍ଷମା ପାର୍ଥନା କରିଛନ୍ତି ।
ଏହାପରେ ସେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିକଟକୁ ଯାଇ ଆର୍ଶୀବାଦ ମଧ୍ୟ ଗ୍ରହଣ କରିଛନ୍ତି । ଦୀର୍ଘ ୧୧ଦିନ ଧରି ବରଗଡର ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲୁ ରହିଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବା ନିମନ୍ତେ ବିଭିନ୍ନ ସ୍ଥାନରୁ ଦର୍ଶକ ଆସିଥାନ୍ତି । ଏଥିସହ କଂସ ଭୂମିକାରେ ଥିବା ବେଳେ ମଥୁରା ନଗରୀ ଭ୍ରମଣ କରିବା ସହ ସମସ୍ତଙ୍କୁ ବିଭିନ୍ନ ନିର୍ଦ୍ଦେଶ ପ୍ରଦାନ କରିଥାନ୍ତି । ତେବେ ଏହି ଯାତ୍ରା ସମୟରେ କଂସ ଭୂମିକାରେ ଥିବା ବେଳେ ଶ୍ରୀକୃଷ୍ଣଙ୍କୁ କଟୁ ଭାଷା ପ୍ରୟୋଗ କରିଥିବାରୁ ସେ ଶ୍ରୀଜିଉଙ୍କ ନିକଟରେ କ୍ଷମା ପ୍ରାଥନା କରିଛନ୍ତି । ପ୍ରତି ବର୍ଷ ଧନୁଯାତ୍ରା ଶେଷ ହେବା ପରେ କଂସ ଭୂମିକାରେ ଥିବା ଅଭିନେତା ସଙ୍ଗେ ସଙ୍ଗେ ଶ୍ରୀକ୍ଷେତ୍ରକୁ ଯାତ୍ରା କରିଥାଆନ୍ତି। ପର ଦିନ ସକାଳେ ସେ ମହୋଦଧିରେ ସ୍ନାନ କରି ନିଜର ପାପନାଶ କରିଥାଆନ୍ତି।