କଳାହାଣ୍ଡି,(ଏଟିଆର ବ୍ୟୁରୋ): ଆଷାଢ଼ ଯାଇ ଶ୍ରାବଣ ଆସିଲା, କିନ୍ତୁ ବର୍ଷାର ଦେଖା ନାହିଁ ।ରାଜ୍ୟର କେତେକ ସ୍ଥାନରେ ସ୍ଵାଭାବିକ ବର୍ଷା ଠାରୁ କମ ପରିମାଣରେ ବର୍ଷା ହୋଇଥିବା ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବ ହେବା ସହ ମରୁଡିର ପଦ ଧ୍ୱନି ଦେଖିବାକୁ ମିଳିଲାଣି ଏବଂ ଚାଷୀ ଏବେ ଚିନ୍ତାରେ ।
ଅଗଷ୍ଟ ପହିଲା ସୁଦ୍ଧା ଚାଷ କାର୍ଯ୍ୟ ଯେତିକି ଆଗେଇବା କଥା ଏହି ସମୟରେ ଚାଷ କାର୍ଯ ବିଳମ୍ବ ହୋଇ ପଡ଼ିଛି। ସ୍ଵାଭାବିକ ବର୍ଷା ଠାରୁ କମ ପରିମାଣରେ ବର୍ଷା ଯୋଗୁଁ ଅନେକ ଚାଷ ଜମି ଏବେ ମଧ୍ୟ ପଡିଆ ପଡ଼ି ରହିଛି । ହଳ ଲଙ୍ଗଳ ଚାଷ ଜମି ଉପରେ ଅନାଦର ଭାବେ ପଡ଼ି ରହିଛି ।ଯେଉଁ ଚାଷୀମାନେ ବିଗତ ଲଘୁଚାପ ବର୍ଷାକୁ ଦେଖି ଆଗତୁରା ଚାଷ କରି ରୁଆ ବେଉଷଣ କରିଛନ୍ତି ତାହା ପାଣି ଅଭାବରୁ କେଉଁଠି ମାଟି ଫାଟି ଆଁ କଲାଣି ତ କେଉଁଠି ଧାନ ଗଛ ଲାଲ ଦେଖାଗଲାଣି ।
ତଳି ଗୁଡ଼ିକ ମଧ୍ୟ ମରିବାକୁ ବସି ପାଳ ଭଳି ହୋଇଗଲାଣି । କେତେକ ସ୍ଥାନରେ ମରିବାକୁ ବସିଥିବା ଧାନ ଗଛ ଉପରେ ପାଣି ସିଞ୍ଚନ କରି ବଞ୍ଚାଇବାକୁ ପ୍ରୟାସ କରୁଛି ଚାଷୀ ।ମେଘୁଆ ଆକାଶକୁ ଚାତକ ପକ୍ଷୀ ଭଳି ଚାଷୀ ଅନାଇ ବସିଛି ।
ବ୍ଲକରେ ପ୍ରାୟ ନଅ ହଜାର ହେକ୍ଟର ଚାଷ ଜମି ରହିଥିବା ବେଳେ ଚାଷୀଙ୍କ ଭରଷା ବର୍ଷା ଜଳ । ଉତେଇ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଏଠାକାର କିଛି ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ରହିଥିବା ବେଳେ ତଳ ମୁଣ୍ଡକୁ କେନାଲ ପାଣି ପହଞ୍ଚି ପାରୁନାହିଁ, ଫଳରେ କେନାଲର ତଳମୁଣ୍ଡରେ ରହିଥିବା ତେରେସିଂହା, ପୌରକେଲା, ଏସ.ମାଲପଡା, ଗଜବାହାଲ ଗ୍ରାମ ପଞ୍ଚାୟତରେ ଚାଷୀମାନେ ବିଶେଷ ପ୍ରଭାବିତ ହୋଇ ସାରିଲେଣି ।
ବିଗତ ବର୍ଷର ମରୁଡି ମନରୁ ଲିଭି ନ ଥିବା ବେଳେ ଯେନତେନ ପ୍ରକାରେ ଧାନ ବିହନ ସଂଗ୍ରହ କରି ଚଳିତ ବର୍ଷ ଚାଷ କରିଥିବା ଚାଷୀ ଏତାଦୃଶ ଅବସ୍ଥାରେ ଭାଙ୍ଗି ପଡ଼ିଛି । ବର୍ଷ ତମାମ ଘର ଚଳାଇବା ପାଇଁ ଚାଷ ଉପରେ ନିର୍ଭରଶିଳ ଚାଷୀ ଏବେ ମୁଣ୍ଡରେ ହାତ ଦେଲେଣି ପରିବାରର ପ୍ରତିପୋଷଣ ଚିନ୍ତାକୁ ନେଇ ।
ବର୍ତ୍ତମାନ ସ୍ଥିତିରେ କଳାହାଣ୍ଡିରେ ମରୁଡିର ପଦ ଧ୍ଵନି ଦେଖିବାକୁ ମିଳିଲାଣି । ଆକାଶ ମେଘାଛନ୍ନ ରହିଛି ସତ, କିନ୍ତୁ ବର୍ଷାର ଦେଖା ନାହିଁ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଲଘୁଚାପ ଯୋଗୁଁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି, କିନ୍ତୁ ଯଦିଓ ସପ୍ତାହେ ମଧ୍ୟରେ କଳାହାଣ୍ଡିରେ ଆବଶ୍ୟକ ପରିମାଣରେ ବର୍ଷା ନ ହୁଏ ତେବେ ଚାଷୀମାନେ ସର୍ବସ୍ୱାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ବର୍ଷାକୁ ଅନାଇ ଆଶା ଓ ଆଶଙ୍କାରେ ରହିଛି ଚାଷୀ । Report: Satya Brata Bagarty