ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; କେରଳରେ ପ୍ରଳୟଙ୍କାରୀ ବନ୍ୟା ଯୋଗୁ ଭାଙ୍ଗି ପଡିଛି କେରଳର ମେରୁଦଣ୍ଡ । ବହୁ ଧନ ଜୀବନ କ୍ଷତି ସହିଥିବା କେରଳ ଏବେ ଆଉ ଏକ ମହାମରୀର ପ୍ରକୋପରେ ରହିଛି । ରାଜ୍ୟରେ ମହାମାରୀ ଯୋଗୁ ଚାଲିଯାଉଛି ବହୁ ଜୀବନ । ଅନେକ ସଙ୍କଟରେ ଅଛନ୍ତି କେରଳର ଲୋକେ । ରାଜ୍ୟରେ ବ୍ୟାପୁଛି ‘ରେଟ୍ ଫିବର’ । ଚାଲିଗଲାଣି ୪୩ ଜଣ ଲୋକଙ୍କ ଜୀବନ । ‘ରେଟ୍ ଫିବର’ ବା ଲେପ୍ଟୋସପାଇରୋସିସ ଦିନକୁ ଦିନ ବେଶ ସକ୍ରୀୟ ହେବାରେ ଲାଗିଛି । ଧିରେ ଧିରେ ଏ ରୋଗ ଏବେ ମହାମାରୀର ରୂପ ନେବାରେ ଲାଗିଛି । ଏଥିପାଇଁ କେରଳର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବେ ଚିନ୍ତାରେ ପଡିଯାଇଛି ।
ଏଯାଏଁ ରାଜ୍ୟରେ ୪୩ ଜଣଙ୍କ ଜୀବନ ଯାଇଥିଲେ ହେଁ ରାଜ୍ୟ ସରକାର ଏହି ମାରାତ୍ମକ ରୋଗର ପ୍ରତିକାର ନିମନ୍ତେ ସଜାଗ ହେଲେଣି । ‘ରେଟ୍ ଫିବର’ ମୁଖ୍ୟତଃ ଏକ ବ୍ୟାକ୍ଟେରିଆରୁ ବ୍ୟାପୁଥିବା ଜଣା ପଡିଛି । ଏହା ଦୁଷିତ ମାଟି ଓ ପାଣିରେ ଥିବା ବ୍ୟକ୍ଟେରିଆ ମାଧ୍ୟମରେ ଶରୀର ଭିତରକୁ ଯାଇଥାଏ । ଏହି ରୋଗ ବହୁ ପଶୁଙ୍କ ଜରିଆରେ ମଣିଷଙ୍କୁ ହେଉଥିବା ମଧ୍ୟ ଜଣା ପଡିଛି ।
କେରଳରେ ବନ୍ୟା ଯୋଗୁ ରାଜ୍ୟର ୧୧୬ ଟି ଆଶ୍ରୟ ସ୍ଥଳୀ ରେ ପାଖାପାଖି ୨୦,୦୦୦ ଜଣ ଲୋକ ଥିବା ବେଳେ ସେମାନଙ୍କୁ ଏହି ରୋଗ ହେବା ନେଇ ଆଶଙ୍କା ଦେଖାଦେଇଛି । ତେବେ ଏହି ରୋଗକୁ ନେଇ କେରଳ ସରକାର ଙ୍କ ପାଖକୁ ଅଗଷ୍ଟ ମାସରେ ୫୫୯ ଟି ମାମଲା ଆସିଥିବା ବେଳେ ୩୪ ଟି ସମ୍ଭାବିତ ମୃତ୍ୟୁର ମଧ୍ୟ ଆକଳନ କରାଯାଇଛି । ଏହି ରୋଗ ଜଣକ ଠାରୁ ଅନ୍ୟ ଜଣଙ୍କ ପାଖକୁ ବହୁ ଶିଘ୍ର ବ୍ୟାପିଥାଏ । ଗୃହ ପାଳିତ ପଶୁଙ୍କ ଠାରୁ ବି ଏହା ମଣିଷଙ୍କ ମଧ୍ୟକୁ ଖୁବଶିଘ୍ର ବ୍ୟାପୁଥିବା ଦେଖାଯାଇଛି । ତେବେ ‘ରେଟ୍ ଫିବର’ରେ ପୀଡିତ ଲୋକମାନଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଏବେ ତତ୍ପର ହୋଇ ଉଠିଥିବାର ଜଣାପଡିଛି ।