ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବିଚ ରାସ୍ତାରେ ଅପହରଣ । ଗଣେଶ୍ୱର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ରାସ୍ତା ମଝିରୁ ଉଠାଇ ନେଇଛନ୍ତି କେତେକ ଦୁର୍ବୃତ୍ତ । ତେବେ କିଏ ଓ କାହିଁକି ତାଙ୍କୁ ଅପହରଣ କରିଛି ସେନେଇ ଏଯାବତ କିଛି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଜମିବାଡି ବିବାଦକୁ କେନ୍ଦ୍ରକରି ଅପହରଣ କରାଯାଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।
ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ରିପୋର୍ଟ ଅନୁସାରେ, ଗଣେଶ୍ୱର ଓ ତାଙ୍କ ପତ୍ନୀ ଖଣ୍ଡଗିରି ଅଞ୍ଚଳରେ ରହନ୍ତି । ଆଜି ଉଭୟ ସପିଂ କରିବାକୁ ବାହାରକୁ ଯାଇଥିଲେ । ତେବେ ଓଇସି ଛକ ପାଖରେ ଏକ କାର ଅଚାନକ ସେମାନଙ୍କ ପାଖରେ ପହଞ୍ଚିଥିଲା । କିଛି ବୁଝିବା ପୂର୍ବରୁ ସେମାନେ ଅତର୍କିତ ମାଡ଼ ମାରି ଗଣେଶ୍ୱରଙ୍କୁ କାରରେ ବସାଇ ଫେରାର ହୋଇଯାଇଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି ।
ସେ ଏହାମଧ୍ୟ ଜଣାଇଛନ୍ତି ଅପହରଣ କରାଯାଇଥିବା କାରଟି କଳା ରଙ୍ଗର ଥିବା ବେଳେ ସେଥିରେ ନମ୍ବର ପ୍ଲେଟ ନଥିଲା । ସବୁଠୁ ବଡ଼ କଥା ହେଉଛି ବିଧାନସଭା ଯୋଗୁ ପୂରା ଭୁବନେଶ୍ୱର ଉପରେ ପୁଲିସ କଡ଼ା ନଜର ରଖିଥିବା ବେଳେ ଅପହରଣକାରୀଙ୍କ ଉତ୍ପାତ ପ୍ରମାଣ କରୁଛି କେଉଁଠି ନା କେଉଁଠି ଢ଼ିଲା ରହିଛି ସୁରକ୍ଷା ବ୍ୟବସ୍ଥା ।
ଏଠାରେ ସୂଚନାଯୋଗ୍ୟ, ବିଧାନସଭା ଚାଲୁଥିବା ବେଳେ ମଧ୍ୟ କ୍ୟାପିଟାଲ ଥାନା ଅଧିନାରେ ଥିବା ୟୁକୋ ବ୍ୟାଙ୍କରେ ହୋଇଥିଲା ଡକାୟତୀ । ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ପ୍ରମାଣ କରୁଛି କେମିତି କାମ କରୁଛି ଆମ କମିଶନରେଟ ପୁଲିସ ।