ଏଟିଆର ନ୍ୟୁଜ ବ୍ୟୁରୋ : କାଳ ହେଉଛି କୁଆଖାଇ । ଗୋଟିଏ ପରେ ଗୋଟିଏ ଘଟଣା ଏବେ ଏହି ଲୋକକଥାକୁ ପୁଣି ସାମ୍ନାକୁ ଆଣିଛି । କୁଆଖାଇର ପ୍ରଖର ସ୍ରୋତ କେତେ କାହାର ଜୀବନ ନେଇଥିବା ଖାଲି ଶୁଣିବାକୁ ମିଳୁଥିଲା । ହେଲେ ଗଲା ୪ ଦିନ ଭିତରେ ଚାରି ଚାରି ଜଣ କୁଆଖାଇର ସ୍ରୋତରେ ଭାସିଯିବା ଘଟଣା ବାରମ୍ବାର ମନକୁ ଆନ୍ଦୋଳିତ କରିଚାଲିଛି । ମନରେ ସ୍ୱତଃ ପ୍ରଶ୍ନ ଉଙ୍କି ମାରୁଛି ସତରେ କଣ କାଳ ହେଉଛି କୁଆଖାଇ ?
ଭୁବନେଶ୍ୱର ଆଖାପାଖରେ ପ୍ରବାହିତ ହେଉଛି ମହାନଦୀର ଶାଖା ନଦୀ କୁଆଖାଈ । ମହାନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଏହାର ଶାଖାନଦୀ ଭାବରେ କୁଆଖାଇରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ସ୍ରୋତ ପ୍ରଖର ଥିବା ବେଳେ ଗଲା ୪ ଦିନ ଭିତରେ ଦୁଇଟି ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଗତ ଦୁଇଦିନ ତଳେ ହଂସପାଳ ଠାରେ ବ୍ରିଜରୁ କୁଆଖାଇକୁ ଡେଇଁ ପଡିଥିଲେ ଜଣେ ମହିଳା । ନୟାପଲ୍ଲୀ ବେହେରା ସାହିର ସୁମିତ୍ରା ଦାସ ନାମ୍ନୀ ମହିଳା ଜଣକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ଟଙ୍କପାଣି ରୋଡ ନିକଟ ନଦୀରୁ ଉଦ୍ଧାର କରିଥିଲେ ମହିଳାଙ୍କୁ ।
ସେହିଭଳି ଆଜି ଦୁଇ ଦୁଇ ଜଣ ଭାସି ଯାଇଛନ୍ତି କୁଆଖାଇର ସୁଅରେ । ଆଚାର୍ଯ୍ୟ ବିହାର ନିକଟସ୍ଥ ବିଶ୍ୱେଶର ବସ୍ତିରେ ରହୁଥିବା ଦୁଇଜଣ ଓ ଜୟଦେବ ବିହାର ନିକଟସ୍ଥ ଆତ୍ମାରାମ ବସ୍ତିରେ ରହୁଥିବା ଜଣେ ଛାତ୍ର ମିଶି କୁଆଖାଇରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି । ତିନିଜଣ ସାଙ୍ଗ ମିଶି ବଢ଼ିଲା ପାଣିର ମଜା ନେଉଥିବା ବେଳେ ନଈ ସୁଅରେ ଭାସି ଯାଇଥିଲେ ଦୁଇଜଣ ସାଙ୍ଗ । ଉଛୁଳା ପାଣିର ସୁଅକୁ କାଟି ଜଗମୋହନ ସାହୁ ଓ ସୋଫିକ ଦିଗାଲ ନାମକ ଦୁଇଜଣ ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ଯଦିଓ ମୂମୁର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସେପଟେ ବଢ଼ି ପାଣିରେ ଭାସି ଯାଉଥିବା ଦୁଇ ଛାତ୍ରଙ୍କୁ ଯେତେବେଳେ ଅଗ୍ନିଶମ କର୍ମଚାରୀମାନେ ଖୋଜୁଥିଲେ ସେତେବେଳେ ସାମ୍ନାକୁ ଆସିଥିଲା ଆଉ ଏକ ଅଭାବନୀୟ ଚିତ୍ର । ମଂଚେଶ୍ୱର ଥାନାର ଜଣେ ପୂର୍ବତନ ମହିଳା ହୋମଗାର୍ଡ ବ୍ରିଜ ଉପରୁ ଡେଇଁଥିଲେ କୁଆଖାଇକୁ । ସୌଭାଗ୍ୟବଶତଃ ଛାତ୍ରଙ୍କୁ ଖୋଜୁଥିବା ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଥିଲେ ମହିଳାଙ୍କୁ । ଫୋନରେ କଥା ହୋଇ ଯାଉଥିବା ମହିଳା ଜଣକ ହଠାତ ନଦୀକୁ ଡେଇଁ ପଡିଥିବା କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ତେବେ କାହିଁକି ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହା ଏଯାଏଁ ଜଣାପଡିନି ।
ଏଇ ଦୁଇ ଚାରିଟା ଘଟଣା ନୁହେଁ ଅନେକ ଉଦାହରଣ କହୁଛି କୁଆଖାଇ ପାଲଟିଛି ଡେଥ୍ ଜୋନ । କୁଆଖାଇ ନଦୀ ଜଳରେ ଯେତିକି ଜୀବନ ଯାଇନି ବରଂ ତା ଠୁ ଅଧିକ ମୃତଦେହ ମିଳୁଛି କୁଆଖାଇ ପଠାରୁ । ଉନ୍ମୟ ପାଢ଼ୀ ଠୁ ନେଇ ଚନ୍ଦନ ଗୋଚ୍ଛାୟତ ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ମୃତଦେହ ମିଳିବା ପରେ ଏବେ କୁଆଖାଇର ନାଁ ହୋଇ ଯାଇଛି ଶବଖାଇ । ଗତ କିଛି ମାସ ମଧ୍ୟରେ ଏହି ନଦୀ ପଠାରୁ ଉଦ୍ଧାର ହୋଇଛି ଅନେକ ଜଣା ଅଜଣା ଲୋକଙ୍କ ଶବ । ଉନ୍ମୟ ପାଢ଼ୀ ନାମକ ଯୁବକର ଅଧାପୋଡା ଶବ ଏଠାରୁ ମିଳିବା ପରେ କୁଆଖାଇ ପଠା ଚର୍ଚ୍ଚାକୁ ଆସିଥିଲା । ପରେ ତିର୍ତ୍ତୋଲ ଅଂଚଳର ଚନ୍ଦନ ଗୋଚ୍ଛାୟତଙ୍କ ଶବ ମିଳିଥିବା ବେଳେ ଏହାର କିଛି ଦିନ ପରେ ଜଣେ ଶିଶୁର ମୃତଦେହ ମିଳିଥିଲା ଏହି ପଠାରୁ । ଗତବର୍ଷ ଫେବୃଆରୀରୁ ମିଳିଥିବା ଜଣେ ଅଜଣା ମହିଳାଙ୍କ ଶବ ତ ଆଜିଯାଏଁ ବି ଚିହ୍ନଟ ହୋଇ ପାରିନି । କେବଳ ନଦୀ ପଠାରେ ଗତ ୨ ବର୍ଷ ଭିତରେ ୭ଟି ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟିଛି । ତାଲିକାରେ ଚଢ଼ି ନଥିବା ଆହୁରି ଅନେକ ଘଟଣା ଚପି ଯାଇନଥିବ ତାହା କିଏ କହିବ ।
ପୁଲିସର ପାଟ୍ରୋଲିଂରେ ଅଭାବ ହୁଏତ ଏମିତି ଘଟଣା ଘଟାଇବାକୁ ସୁଯୋଗ ଦେଉଥିବା ଅନୁମାନ କରାଯାଏ । କାରଣ ଏହି ନିଛାଟିଆ ଅଂଚଳରେ ଲୋକ ଚଳପ୍ରଚଳ ସେତେଟା ନଥିବାରୁ ଅପରାଧୀଙ୍କ ପାଇଁ ସୁବିଧା ହେଉଛି । କମିଶନରେଟ ପୁଲିସ ଏ ଦିଗରେ ଧ୍ୟାନ ଦେଲେ ଶବଖାଇ ପୁଣି କୁଆଖାଇ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି ।