ଭୁବନେଶ୍ୱର,୫ା୨(ବ୍ୟୁରୋ): ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ତଦନ୍ତ କରିବା ପାଇଁ ଜାତୀୟ ମାନବାଧିକାର କମିଶନ୍ (ଏନ୍ଏଚ୍ଆର୍ସି)ର ୫ ଜଣିଆ ଟିମ୍ ଆଜି କୋରାପୁଟରେ ପହଂଚିଛନ୍ତି । ୫ ଦିନିଆ ଗସ୍ତରେ ଥିବା ଏହି ଟିମ୍ର ନେତୃତ୍ୱ ନେଉଛନ୍ତି ଡିଏସ୍ପି ରବି ସିଂହ । ଅନ୍ୟ ସଦସ୍ୟମାନେ ହେଲେ ଲାଲ୍ ବାହାର୍, ଅରୁଣ କୁମାର, କେ ବିଜୟ କୁମାର ଓ ନେହା ୟାଦବ । ଏହି ଟିମ୍ ଜିଲ୍ଲା ପୁଲିସ୍ ମୁଖ୍ୟାଳୟର ଏଚ୍ଆରପିସି ଓ ପୀଡ଼ିତା ଚିକିତ୍ସିତ ହୋଇଥିବା ଏସ୍ଏଲ୍ଏନ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲରୁ ଚିକିତ୍ସା ସମ୍ପର୍କିତ ସମସ୍ତ ତଥ୍ୟ ମଗାଇ ଯାଞ୍ଚ କରିଛନ୍ତି । ଏହାସହ ଘଟଣା ସମ୍ପର୍କରେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ନ୍ୟୁଜ୍ କ୍ଲିପିଂ ସଂଗ୍ରହ କରି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।
ଆସନ୍ତାକାଲି ଏହି ଟିମ୍ ପୀଡ଼ିତା ପ୍ରଥମେ ଚିକିତ୍ସିତ ହୋଇଥିବା କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସା କରିଥିବା ଡାକ୍ତରଙ୍କୁ ପଚରାଉଚୁରା କରିବେ । ତାହା ପରେ ଟିମ୍ କୁନ୍ଦୁଲି ମୁଶାଗୁଡା ଗ୍ରାମକୁ ଯାଇ ମୃତ ନାବାଳିକାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରି ସେମାନଙ୍କ ବୟାନ ରେକର୍ଡ କରିବେ । କେଉଁ ପରିସ୍ଥିତିରେ ପିଡ଼ୀତା ଜଣଙ୍କ ଆତ୍ମହତ୍ୟା କଲେ ତାହାର ତଦନ୍ତ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି । ପରେ ପଟ୍ଟାଙ୍ଗି ଥାନା ଅଧିକାରୀଙ୍କୁ ଜେରା କରାଯିବ ବୋଲି ଜଣାପଡିଛି । ଏଥିସହ ଟିମ୍ ସମ୍ପର୍କୀୟ, ଚିକିତ୍ସା କରିଥିବା ଡାକ୍ତରୀ ଦଳ, ଘଟଣାରେ ଥିବା ସାକ୍ଷୀ ଓ କାଉନସିଲିଂ କରିଥିବା ସମସ୍ତ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବେ ବାଲି ସୂଚନା ମିଳିଛି । ତେଣୁ ଉକ୍ତ ଘଟଣା ସମ୍ପର୍କରେ ଯଦି କୌଣସି ସରକାରୀ କର୍ମଚାରୀ କିମ୍ବା ବ୍ୟକ୍ତି ବିଶେଷଙ୍କ ନିକଟରେ ଅଧିକ ତଥ୍ୟ ଥାଏ ତାହାହେଲେ ସେମାନେ କମିଶନଙ୍କ ନିକଟରେ ଜଣାଇବାକୁ ନିବେଦନ କରିଛନ୍ତି । ଆସନ୍ତା ୮ତାରିଖ ସନ୍ଧ୍ୟା ଯାଏ ଏହି ତଦନ୍ତ ଚାଲୁ ରହିବ । କମିଶନ ଘଟଣା ସମ୍ପର୍କିତ ସଠିକ ସୂଚନା ସଂଗ୍ରହ କରିବେ ବୋଲି କହିଛନ୍ତି । ୯ତାରିଖରେ ଏହି ଟିମ୍ ନୂଆଦିଲ୍ଲୀ ଫେରି ୧୫ଦିନ ଭିତରେ ତଦନ୍ତ ସମ୍ପର୍କୀତ ସବିଶେଷ ରିପୋର୍ଟ କମିଶନକଂ ନିକଟରେ ଦାଖଲ କରିବେ ।
ସୂଚନାମୁତାବକ, ଆବେଦନକାରୀ ତଥା ସାମାଜିକ କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏକ ମାମଲାର ଶୁଣାଣି କରି ଏନ୍ଏଚ୍ଆର୍ସି ଜାନୁଆରୀ ୧୦ରେ ସରକାରଙ୍କୁ ଏହି ନୋଟିସ୍ ଜାରି କରିଥିଲେ । ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।