ଭୁବନେଶ୍ୱର,୫/୨(ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିରର ସେବାୟତ କାଶୀନାଥ ବଡୁଙ୍କ ହତ୍ୟା ମାମଲାରେ ଆଜି ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲା ଦୌରା ଜର୍ଜ କୋର୍ଟ ରାୟ ଶୁଣାଇଛନ୍ତି । ଏଥିରେ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନେ ହେଲେ ମନୋରଞ୍ଜନ ମହାପାତ୍ର ଓରଫ ପୁନିଆ ଓ ଅକ୍ଷୟ ମହାପାତ୍ର ଓରଫ ବୁବୁନ । ଏହି ଦୁଇ ଜଣଙ୍କୁ ବିଚାରପତି ଦାମୋଦର ରଥ ଆଜୀବନ କାରାଦଣ୍ଡ ଶୁଣାଇଥିବା ବେଳେ ୫ହଜାର ଟଙ୍କା ଜୋରିମାନେ ନିର୍ଦ୍ଦେଶ ଦେଇଛି । ଏହି ମାମଲାରେ ଜଣେ ଜୁଭେନାଇଲ୍ ରହିଥିବା ବେଳେ ତାର ବିଚାର ଚାଲୁ ରହିଛି ।
ମାମଲାରୁ ପ୍ରକାଶ ଯେ, ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡୁ ନିଯୋଗ ଓ ସୁଆରୋ ନିଯୋଗ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା । ମନ୍ଦିରର କାମରେ ଭାଗବଣ୍ଟାକୁ ନେଇ ଏହି ବିବାଦ ଦେଖା ଦେଇଥିଲା । କାଶୀନାଥ ବଡୁ ନିଯୋଗର ହୋଇଥିବା ବେଳେ ଅଭିଯୁକ୍ତମାନେ ସୁଆରୋ ନିଯୋଗର ଥିଲେ । ଗତ ୨୦୧୦ ଜୁଲାଇ ୮ ତାରିଖ ରାତିରେ ତିନି ଜଣ ଅଭିଯୁକ୍ତ କାଶୀନାଥଙ୍କୁ କୋଟିତୀର୍ଥ ଲେନରେ ଥିବା ସୁବର୍ଣ୍ଣଶ୍ୱର ମନ୍ଦିର ପାଖକୁ ନେଇ ସେଠାରେ ଭୋଜିଭାତ କରିଥିଲେ । ପରେ ତାଙ୍କୁ ଖାଦ୍ୟରେ ନିଶା ଦେଇ ଖଣ୍ଡାରେ ବିଭତ୍ସ ଭାବରେ ହତ୍ୟା କରିଥିଲେ । ହତ୍ୟା ନେଇ ଖବର ପ୍ରଚାରିତ ହେବା ପରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ମନ୍ଦିରର ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ଫାଟ ପଦାକୁ ଆସିଥିଲା । ଏଥିସହ ପୁଲିସ ମନୋରଞ୍ଜନ, ଅକ୍ଷୟ ସମେତ ଜଣେ ନାବାଳକକୁ ଗିରଫ କରିଥିଲା । ସେମାନଙ୍କ ଠାରୁ ହତ୍ୟାରେ ଅଭିଯୁକ୍ତ ମାରଣାସ୍ତ୍ର ଜବତ କରିଥିଲା । ପରେ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ବ ହୋଇଥିବା ବେଳେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ସାତ ବର୍ଷର ଶୁଣାଣି ସମୟରେ କୋର୍ଟରେ ୨୦ ଜଣ ବ୍ୟକ୍ତି ସାକ୍ଷ୍ୟପ୍ରଦାନ କରିଥିଲେ । ବିଚାରପତି ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ଆଜି ଉପୋରକ୍ତ ରାୟ ଶୁଣାଇଛନ୍ତି ।