ଗୁଜୁରାଟ (ଏଟିଆର ବ୍ୟୁରୋ ) ; ଗୁଜୁରାଟରେ ଜାରି ରହିଛି ସିଂହ ମଡକ । ୨୦ ଦିନରେ ଗଲାଣି ୨୬ ଟି ସିଂହଙ୍କ ଜୀବନ । ଗତକାଲି ଆଉ ଦୁଟି ସିଂହଙ୍କର ମୃତ୍ୟୁ ହୋଇଯିବାରୁ ସିଂହ ମୃତ୍ୟୂ ନେଇ ଚିନ୍ତା ବଢିଚାଲିଛି । କୁହାଯାଉଛି କ୍ୟାନାଇନ୍ ଡିସ୍ଟେମ୍ପର୍ ଭାଇରସ୍ (ସିଡିଭି) ସଂକ୍ରମଣ ଏବଂ ଟିଙ୍କ ବାହିତ ବେବ ସିଓସିସିରେ ଆକ୍ରାନ୍ତ ହେବାରୁ ସିଂହଙ୍କର ମୃତ୍ୟୁ ହେବାରେ ଲାଗିଛି ।
ବିଶେଷକରି ଆମ୍ରେଲି ଜିଲ୍ଲାରେ ଏହି ରୋଗରେ ଆକ୍ରାନ୍ତ ହୋଇ ଗତକାଲି ଆଉ ଦୁଟି ସିଂହଙ୍କର ମୃତ୍ୟୁ ହୋଇଛି । ତେବେ କ୍ୟାନାଇନ୍ ଡିସ୍ଟେମ୍ପର୍ ଭାଇରସ୍ (ସିଡିଭି) ସଂକ୍ରମଣ ଏବଂ ଟିଙ୍କ ବାହିତ ବେବ ସିଓସିସି ଯୋଗୁ ମୋଟ ୨୩ ଟି ସିଂହଙ୍କର ମୃତ୍ୟୁ ହୋଇଥିବାବେଳେ ବିଗତ ୨୦ ଦିନରେ ମୋଟ ୨୬ ସିଂହ ଙ୍କର ଜୀବନ ଯାଇଛି ।
ସେପଟେ ଏହି ରୋଗରେ ଆଉ ୩ ସିଂହ ମଧ୍ୟ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କ ବଞ୍ଚିବା କ୍ଷୀଣ ବୋଲି ଜଣାପଡିଛି । ସିଂହ ମାନଙ୍କ ମଧ୍ୟରେ ସିଡିଭି ରହିଥିବାର ୨୦୧୧ ମସିହାରେ ବନ ବିଭାଗକୁ ଜଣାଇଦିଆଯାଇଥିଲା । ବାଙ୍ଗାଲୋରସ୍ଥିତ ‘ସେଣ୍ଟର୍ ଫର୍ ଆନିମଲ୍ ରିସର୍ଚ ଆଣ୍ଡ୍ ଡାଇଗ୍ନୋସିସ୍’ ଏବଂ ଉତ୍ତରାଖଣ୍ଡର ଇଣ୍ଡିଆନ୍ ଭେଟେରିନାରି ରିସର୍ଚ ଇନଷ୍ଟିଚ୍ୟୁଟ ୨୦୦୭ ମସିହାରେ ମୃତ ସିଂହଙ୍କୁ ନେଇ ପରୀକ୍ଷା କରିଥିଲେ । ସେଥିରୁ ବିଶେଷଜ୍ଞ ମାନେ ମୃତ ସିଂହଙ୍କ ଟିସୁରୁ ସିଡିଭି କୀଟାଣୁ ଥିବା ପ୍ରମାଣିତ କରିଥିଲେ । ଏହି କୀଟାଣୁ ତୀବ୍ର ସଂକ୍ରାମକ ବୋଲି ଜଣା ପଡିଛି । ତେବେ ବିଶେଷକରି ଗିର ସିଂହ ମାନ ଙ୍କ ମଧ୍ୟରେ ଏଭଳି ରୋଗ ଦେଖାଯାଇଥିବା ଜଣା ପଡିଛି ।