ଏଟିଆର ବ୍ୟୁରୋ : ତାମିଲନାଡିରୁ ମାରିନା ବିଚ୍ ରେ ହିଁ କରୁଣାନିଧିଙ୍କ ସମାଧି ସ୍ଥାପନ ହେବ । ଏନେଇ ଅନୁମତି ପ୍ରଦାନ କରିଛନ୍ତି ମାଡ୍ରାସ ହାଇକୋର୍ଟ । ଡିଏମକେ ମୁଖ୍ୟ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ପରଲୋକ ପରେ ମାରିନା ବିଚରେ ତାଙ୍କର ସମାଧି ସ୍ଥାପନ କରିବାକୁ ଡିଏମକେ ଚାହୁଁଥିବା ବେଳେ ରାଜ୍ୟ ସରକାର ଏହାକୁ ଅଗ୍ରାହ୍ୟ କରିଥିଲେ । ଉକ୍ତ ସ୍ଥାନ ଏକ ବିବାଦୀୟ ସ୍ଥାନ ହୋଇଥିବାରୁ ଏନେଇ ରାଜି ହୋଇନଥିଲେ ତାମିଲନାଡୁ ସରକାର । କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସମାଧି ମାରିନା ବିଚରେ ହୋଇଥିବାରୁ କରୁଣାନିଧିଙ୍କ ସମାଧି ସେଠାରେ କାହିଁକି ହୋଇପାରିବ ନାହିଁ ବୋଲି ଜିଦ ଧରି ମାଡ୍ରାସ ହାଇକୋର୍ଟରେ ପିଟିସନ କରିଥିଲା ଡିଏମକେ । ତେବେ ସେହିଠାରେ ହିଁ ସମାଧି କରିବାକୁ କୋର୍ଟ ଅନୁମତି ଦେଇଛନ୍ତି । ପୂର୍ବରୁ ରାଜ୍ୟ ସରକାର ଗାନ୍ଧୀ ମଣ୍ଡପ ନିକଟରେ ୨ ଏକର ଯାଗାରେ କରୁଣାନିଧିଙ୍କ ସମାଧି କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ ।
ସେପଟେ କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଆଜି ଚେନ୍ନାଇରେ କରୁଣାନିଧିଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି । ରାଜାଜୀ ହଲରେ ତାଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ ପାଇଁ ରଖାଯାଇଛି । ସେଠାରେ ଦିନ ଗୋଟାଏ ଯାଏଁ ଶେଷ ଦର୍ଶନ କରାଯିବ ବୋଲି କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚେନ୍ନାଇ ଯାଇ ସ୍ୱର୍ଗତ କରୁଣାନିଧିôଙ୍କ ଶେଷ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରା ଓ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଶେଷ ସଂସ୍କାରରେ ସାମିଲ ହେବେ ବୋଲି ଜଣାପଡିଛି ।
ଜତକାଲି ଦୀର୍ଘଦିନର ଅସୁସ୍ଥ ଥିବା ଡିଏମକେ ମୁଖ୍ୟ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ଚେନ୍ନାଇର କାବେରୀ ହସପିଟାଲରେ ଭର୍ତ୍ତୀ କରାଯାଇଥିବା ବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ସେ ତାମିଲନାଡୁ ରାଜନୀତିର ଜଣେ ଅଦ୍ୱିତୀୟ ନେତା ହୋଇଥିବା ବେଳେ ୫ଥର ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ ।