ଭୁବନେଶ୍ୱର,୧୨ା୨/(ବ୍ୟୁରୋ): ଗାଁ ଗହଳି କଥା ତ’ ଦୂରେ ଥାଉ । ଟ୍ୱିନ୍ସିଟିରେ ବି କଲେକ୍ଟରଙ୍କ ଅର୍ଡରକୁ ଖାତିର୍ ନାହିଁ । ବାଏଁ ବାଏଁ ଉଡାଇ ଦେଇଛି ପୁଲିସ । ଯାହାକୁ ନେଇ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି କଲେକ୍ଟରଙ୍କ ଅର୍ଡରକୁ ପୁଲିସ ଖାତିର କରୁନାହିଁ ଏଠି ସାଧାରଣଙ୍କ କଥା କେତେ ଶୁଣୁଥିବ ପୁଲିସ ତାକୁ ନେଇ ଉଠିଛି ପ୍ରଶ୍ନ? ଆମେ କହୁଛୁ ‘ନୋ ହେଲମେଟ ନୋ ପେଟ୍ରୋଲ’ ସମ୍ପର୍କରେ ।
ରାତାରାତି ନିୟମ ହେଲା, ସଚେତନ ଲାଗି ୧୫ଦିନର ମହୁଲତ ମଧ୍ୟ ଦିଆଗଲା । ନିୟମ ଉଲ୍ଲଙ୍ଘନ କଲେ ଦଣ୍ଡ ମିଳିବ ବୋଲି ଦର୍ଶାଇ ପେଟ୍ରୋଲ ପମ୍ପ ଆଗରେ ପୋଷ୍ଟର ଝୁଲାଇଲା ପୁଲିସ । ହେଲେ ରାତ ଗୟି ବାତ୍ ଗୟି ଭଳି ଏହି ନିୟମକୁ ଏବେ କବର ଦିଆଯାଇଛି । ପୁଣି ଚାଲିଛି ପୂର୍ବ ପରି ପେଟ୍ରୋଲ କାରବାର । ଯେଉଁ ପେଟ୍ରୋଲ ପମ୍ପ ଦେଖନ୍ତୁ ସେଠି ସିନା ସରକାରଙ୍କ ପୋଷ୍ଟର ଝୁଲୁଛି କିନ୍ତୁ ତାହା କାଣିଚାଏ ବି ପାଳନ ହେଉନି । ଏନେଇ ଏଟିଆର୍ ନ୍ୟୁଜ୍ ଟିମ୍ ବିଭିନ୍ନ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମତ ନେଇଥିଲା । ସେମାନେ ସବୁ ଦୋଷ ପୁଲିସ ମୁଣ୍ଡରେ ଲଦି ଦେଇଥିଲେ । ପୁଲିସ ସହଯୋଗ କରୁନଥିବାରୁ ଏହି ନିୟମ ଏବେ ଫସର ଫାଟିଥିବା ସ୍ପଷ୍ଟ ଭାବେ ଜଣାଇଥିଲେ ।
ଜଣେ ପେଟ୍ରୋଲ କର୍ମଚାରୀ ନିଜ ନାମକୁ ଗୋପନ ରଖି କହିଥିଲେ ଯେ, ଥରେ ହେଲମେଟ ଲାଗି ସେ ପେଟ୍ରୋଲ ଦେବାକୁ ମନାକରିବାରୁ କେତେକ ଯୁବକ ତାଙ୍କୁ ଧକ୍କା ମାରିବା ସହ ଧମକ ଦେଇଥିଲେ । ଏନେଇ ସେ ପୁଲିସକୁ ଜଣାଇଥିଲେ ବି ପୁଲିସ ଉଚିତ୍ ସମୟରେ ପହଞ୍ଚି ନଥିଲା । ଡେରିରେ ପହଞ୍ଚିବା ପରେ ପୁଲିସର ଉତ୍ତର ଥିଲା ଆମେ କ’ଣ ତୁମ ପେଟ୍ରୋଲ ପମ୍ପ ପାଖରେ ଜଗିକ ବସିବୁ ନା କ’ଣ? ପୁଲିସର ଏଭଳି ଉତ୍ତର ତାଙ୍କ ମନବଳକୁ ଦୁର୍ବଳ କରିଦେଇଥିଲା । ରାତି ପାହିଲେ ନିୟମ ଲାଗୁ କରିବାକୁ ପଛାଉ ନାହାନ୍ତି । କାର୍ଯ୍ୟକାରୀ ବେଳକୁ କିନ୍ତୁ ବାବୁଙ୍କୁ ବାଧି ଯାଉଛି । ଏଭଳି ଭାଣ୍ଡୁଆ ନିମୟ ଲାଗି ଅଯଥାରେ ସାଧାରଣ ଲୋକ ହଇରାଣ ହରକତ ହେବା ସହ ପେଟ୍ରୋଲ କର୍ମଚାରୀମାନେ ଆକ୍ରୋଶର ଶିକାର ହେଉଛନ୍ତି । ତେଣୁ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି । ନଚେତ୍ ନିୟମକୁ ସରକାରୀ ବାବୁମାନେ ନାଲିଫିତା ତଳେ ବାନ୍ଧି ରଖନ୍ତୁ ଅଯଥାରେ ଲୋକଙ୍କ ଉପରେ ନଲଦିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।