ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଅଭିନେତ୍ରୀ ଉଷଶି ମିଶ୍ରଙ୍କୁ ଅସଦାଚରଣ । ଅନୁଗୁଳ କଣିହାଁ ଥାନା ଅନ୍ତର୍ଗତ ଡେରାଙ୍ଗ ଅଞ୍ଚଳରେ ତାଙ୍କୁ ଅସଦାଚରଣ କରାଯାଇଛି । ଏତିକି ନୁହେଁ ତାଙ୍କ ଗାଡିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ନିଜ ସୋସିଆଲ ମିଡିଆରେ ଏନେଇ ପୂରା ଘଟଣା ଉଲ୍ଲେଖ କରିଛନ୍ତି ଉଷଶି ।
ତାଙ୍କ କହିବା କଥା, ଏକ ଯାତ୍ରା ପାର୍ଟିର ସୋ’ରେ ସେ ସେଠାକୁ ଯାଇଥିଲେ । ଏତିକି ବେଳେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିମନ୍ଦ ସହ ଅସଦାଚରଣ କରାଯାଇଥିଲା । ସେ ପ୍ରଶ୍ନ କରିଛନ୍ତି ସେ ଜଣେ ଚର୍ଚ୍ଚିତ ଚେହେରା ହୋଇଥିବା ବେଳେ ସର୍ବସମ୍ମୁଖରେ ତାଙ୍କୁ ଯଦି ଅସଦାଚରଣ କରାଯାଇପାରୁଛି ତେବେ ବାକି ମହିଳା କେତେ ସୁରକ୍ଷିତ । ସିଧା କହିବାକୁ ଗଲେ ସେ ନିଜକୁ ଅସୁରକ୍ଷିତ ମଣିଛନ୍ତି ।
ସୋସିଆଲ ମିଡିଆରେ ଉଷଶି ଲେଖିଛନ୍ତି ଯେ, ତାଙ୍କ ଡ୍ରେସ ଚିରିଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା । ତେବେ ସେ ନିଜେ ନିଜକୁ ରକ୍ଷା କରିଛନ୍ତି । ସେପଟେ ଇନ୍ଦ୍ରମଣୀ ସାହୁ ଓ ତାଙ୍କ ୨ ପୁଅ ଏହି ଘଟଣାରେ ଜଡିତ ରହିଛନ୍ତି ବୋଲି ଜଣାପଡିଛି । ପୁଲିସ ଘଟଣାର ତଦନ୍ତ ଚଳାଇଛି । ସେପଟେ ଏଭଳି ଏକ ଘଟଣାକୁ ପୂରା ଓଲିଉଡ ଟିମ ତୀବ୍ର ନିନ୍ଦା କରିବା ସହ ଉଷଶିଙ୍କୁ ଏଥିପାଇଁ ସହଯୋଗର ହାତ ବଢ଼ାଇଛନ୍ତି । କେବଳ ଏତିକି ନୁହେଁ ଏଟିଆର ନ୍ୟୁଜକୁ ଉଷଶି ଜଣାଇଛନ୍ତି ଯେ, ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଏଭଳି ଏକ ଘଟଣା ଘଟିଛି । ଯାହା ତାଙ୍କୁ ବେଶ କଷ୍ଟ ଦେଇଛି । ସେ ଖୁବ ଶୀଘ୍ର ଏ ନେଇ ପୁଲିସ ଏସପିଙ୍କୁ ଭେଟିବେ ।