ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଶେଷରେ ଆତ୍ମସମର୍ପଣ କଲେ ଆଇଏସ ବିନୋଦ କୁମାର । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ବହୁ ଚର୍ଚ୍ଚିତ ଓଆରଏଚଡିସି ଦୁର୍ନୀତି ମାଲାରେ ବିନୋଦ ମୁଖ୍ୟ ଅଭିଯୁକ୍ତ ଥିଲେ । ଏପରିକି ତାଙ୍କୁ ଗିରଫ କରିବା ଲାଗି ପୂର୍ବରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା ।
ଗୋଟିଏ କି’ ଦୁଇଟି ନୁହେଁ ବିନୋଦଙ୍କ ନାଁରେ ରହିଛି ୨୧ଟି ମାମଲା । ତେଣୁ କୋର୍ଟ ତାଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି କରିବା ସହ ତୁରନ୍ତ ଗିରଫ କରିବା ପାଇଁ ଉଭୟ ଭିଜିଲାନ୍ସ ଓ କମିଶନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଓଆରଏଚଡିସି ଦୁର୍ନୀତିରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଓଆରଏଚଡିସି ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର, ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଓ ଚିତ୍ତରଂଜନ ମଲିକଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି କରିଥିଲେ ।
ତେବେ ଏଥିରୁ ବର୍ତ୍ତିବାକୁ ବିନୋଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯଦିଓ କିଛି ସମୟ ସେ ବତ୍ତି ଯାଇଥିଲେ ହେଲେ ମିଳିଥିବା ସୁରକ୍ଷା କବଚର ଅବଧି ଆଜି ଶେଷ ପରେ ବିନୋଦ ନିଜେ ଆତ୍ମସମର୍ପଣ କରିଛନ୍ତି । ତାଙ୍କୁ ୩ବର୍ଷ ଜେଲ ଦଣ୍ଡ ଦିଆଯାଇଥିବା ଜଣାପଡିଛି ।