ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ୧୨ହଜାର କୋଟିରୁ ଅଧିକ ଟଙ୍କାର ପିଏନବି ଠକେଇ ଘଟଣାରେ ଶେଷରେ ଜାଲ ପଡିଛନ୍ତି ଜଣେ ଓଡ଼ିଆ ଅଫିସର । ହାତକଡ଼ି ପିନ୍ଧାଇଛି ସିବିଆଇ । ସେ ହେଲେ କେନ୍ଦୁଝରର ବିଶୁବ୍ରତ ମିଶ୍ର । ସେ ପୂର୍ବରୁ ପିଏନବିରେ ଇଣ୍ଟେରନାଲ ଚିଫ ଅଡିଟର ଭାବେ କାମ କରୁଥିଲେ ।
ଏହି ମହାଠକେଇରେ ସେ କେଉଁଠି ନା କେଉଁଠି ଜଡ଼ିତ ଅଛନ୍ତି । ଏନେଇ ସୁରାକ ମିଳିବା ପରେ ସିବିଆଇ ତାଙ୍କୁ ଗିରଫ କରିଛି । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ବିଶୁବ୍ରତଙ୍କୁ ହାଜର କରିବା ପରେ ମାର୍ଚ୍ଚ ୧୪ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ଏହି ଘଟଣାରେ ୧୩ଜଣଙ୍କୁ ଗିରଫ କରାଯାଇଛି । ପୂରା ଘୋଟାଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ହୀରା ବ୍ୟବସାୟୀ ନିରବ ମୋଦୀ ଏବେ ବି ଅଣ୍ଡରଗ୍ରାଉଣ୍ଡ ଅଛନ୍ତି । ତାଙ୍କୁ ଧରିବା ଲାଗି ଏବେ ବି ତନାଘନା ଜାରି ରହିଛି । ଅତି ଚାଲାକର ସହ ମୋଦି ପିଏନବିରୁ ୧୧ହଜାର କୋଟିରୁ ଅଧିକ ଟଙ୍କା ଚଳୁ କରିଥିବା ଜଣାପଡିଥିଲା ।