ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଅସୁବିଧାରେ ପଡିଛନ୍ତି କି? କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଚାହୁଁଛନ୍ତି କି? ସହଯୋଗ ପାଇଁ ଆପଣ କେତେବେଳେ ବି ହେଉ କଲ କରିପାରନ୍ତି । ୨୪ଘଂଟା ଲାଇନ ଖୋଲା ରହିଛି । କର୍ମଚାରୀ ବି ସବୁବେଳେ ତୟାର ରହିଛନ୍ତି, ସହଯୋଗର ହାତ ବଢ଼ାଇବା ଲାଗି । ଏମିତି କିଛି ସୂଚନା ଦେବାରେ ଜମାରୁ ହେଳା କରୁନାହିଁ କମିଶନରେଟ ପୁଲିସ ।
କିନ୍ତୁ ବାସ୍ତବତାକୁ ପରଖିଲେ ଏହା ଭାଣ୍ଡାମି ଭଳି ଲାଗେ । ହେଲ୍ପ ଲାଇନ୍ କୁହାଯାଉଥିବା ୧୦୦ନମ୍ବରକୁ ଫୋନ କଲେ ସାହାଯ୍ୟ ମିଳିବା ତ’ ଦୂରର କଥା କେହି ଫୋନ ଉଠାଉନାହାନ୍ତି । ଏ ଅଭିଯୋଗ ଆମେ କରୁନାହୁଁ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ପ୍ରଶାସନିକ ଅଧିକାରୀ ଏହି ଅଭିଯୋଗ ଉଠାଇଛନ୍ତି । ଯାହାର ଅଡିଓ କ୍ଲିପ ଏଟିଆର ନ୍ୟୁଜ ହାତରେ ଲାଗିଛି । ସେହି ବରିଷ୍ଠ ଅଧିକାରୀଙ୍କ କହୀିବାନୁସାରେ, ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ହେବ । ରବି ଟକିଜ ରାସ୍ତା ଦେଇ ସେ ଧଉଳୀ ଯିବା ବାଟରେ ଦେଖିବାକୁ ପାଇଥିଲେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଛି । ରାସ୍ତା ଜାମ ରହିଛି ।
ସେ ଏନେଇ ପୁଲିସ କଂଟ୍ରୋଲ ରୁମକୁ ଯୋଗାଯୋଗ କରିଥିଲେ । କିନ୍ତୁ ର୍ଦୁଭାଗ୍ୟ ଫୋନ ରିଙ୍ଗ ହୋଇ କଟିଲା ସିନା କେହି ବି ଉଠାଇଲେ ନାହିଁ । ଥରେ ନୁହେଁ ବରିଷ୍ଠ ବାବୁ ଜଣଙ୍କ ଲଗାତାର ୩ଥର କଲ କରି ନିରାଶ ହୋଇଥିଲେ । ତାଙ୍କ ପାଟିରୁ ବାହାରି ଆସିଥିଲା ଏ କାଳେ ହେଲ୍ପ ଲାଇନ । ପୂରା ଘଟଣା ସମ୍ପର୍କରେ ଜାଣିବାକୁ ଆମେ କଂଟ୍ରୋଲ ରୁମକୁ ଯୋଗାଯୋଗ କରିଥିଲୁ । ତେବେ ଏହାର କୌଣସି ସନ୍ତୋଷ ଜନକ ଉତର ମିଳିପାରି ନଥିବା ବେଳେ ଟେକ୍ନିକାଲ ସମସ୍ୟା ଯୋଗୁ ଏଭଳି ହୋଇଥାଇ ପାରେ ବୋଲି କଂଟ୍ରୋଲ ରୁମ୍ ପକ୍ଷରୁ ସୂଚନା ଦିଆଯାଇଥିଲା ।