ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଲୋକଙ୍କୁ ଖାଲି ଭକୁଆ ବନାଉଛି କମିଶନରେଟ ପୁଲିସ । କେବଳ ବାହାବାଃ ନେବା ଲାଗି ଗୋଟିଏ ପରେ ଗୋଟିଏ ଲୋକ ଦେଖାଣିଆ କାମ କରୁଛି । ହେଲେ ସେ ସବୁ କାମ ପରବର୍ତ୍ତୀ ସମୟରେ କେଉଁ ରୂପ ନେଉଛି ତାହା ଉପରେ କିନ୍ତୁ ଆଉ କାହାରି ନଜର ରହୁନାହିଁ ।
ଆମେ ଏଥିପାଇଁ ଏକଥା କହୁଛୁ ନୂଆ କରି ଆସିଥିବା ପୁଲିସ କମିଶନର ଏଇ ଦୁଇଦିନ ତଳେ ‘ନୋ ୟୋର ପୁଲିସ’ ବୋଲି ଏକ କାର୍ଯ୍ୟ ଆରମ୍ଭ କଲେ । ତେବେ କମିଶନରେଟ ପୁଲିସର ଏଭଳି ଏକ ନିଆରା କାର୍ଯ୍ୟ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଏଭଳି କାର୍ଯ୍ୟ କରାଯାଇଛି । ଯାହା ଏବେ ବାଟବଣା । ସେ ଆଇ କ୍ଲିକ ବ୍ୟବସ୍ଥା ହେଉ ଅବା ପିଙ୍କ ଅଟୋ କଥା । ସବୁ ଏକ ପ୍ରକାର ଏବେ ଦିଗହରା । ମୋ’ ସାଥୀ ଆପ୍ସ ତ’ ଯେମିତି ଏବେ ହଜି ଯାଇଛି । ସେପଟେ ପୂର୍ବତନ ଡିଜିପି ସଂଜିବ ମାରିକ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ପାଇଁ ତ’ ଥାନାରେ ଚା’ ବ୍ୟବସ୍ଥା କରି ଅନେକ ବାହାବାଃ ସାଉଁଣ୍ଟିଥିଲେ ।
ଏବେ କିନ୍ତୁ ଥାନାକୁ ଗଲେ ମେସିନ ତ’ ଲାଗିଥିବା ଦେଖିବାକୁ ମିଳୁଛି ହେଲେ ଚା’ ରା ଗନ୍ଧବାସ୍ନା ବି ମିଳୁନାହିଁ । କେବଳ ଏତିକି ନୁହେଁ ପୂବତନ ପୁଲିସ କମିଶନର ଆରପି ଶର୍ମା ତ’ ନେଇଥିଲେ ଏକ ନିଆରା ପଦକ୍ଷେପ । ପୁଲିସ-ପବ୍ଲିକ ଭିତରେ ଉତ୍ତମ ବୁଝାମଣା ରହିବା ନେଇ ପ୍ରତି ଥାନାରେ ହୋଇଥିଲା ପୋଲିସ ପବ୍ଲିକ ଇଣ୍ଟରଫେସ ଭଳି ଏକ କାର୍ଯ୍ୟକ୍ରମ । ଯାହା ଆଉ ପ୍ରାୟତଃ ଦେଖିବାକୁ ମିଳୁନି । ତ’ ପୂରା ଆରମ୍ଭରୁ ଯଦି ଗୋଟିଏ କଥାକୁ ଲକ୍ଷ୍ୟ କରାଯାଏ ଏହା ସାମ୍ନାକୁ ଆସୁଛି ଯେ, ଯିଏ ନୂଆ ବାବୁ ଆସୁଛନ୍ତି ସେ ତାଙ୍କ ଷ୍ଟାଇଲରେ କାମ କରୁଛନ୍ତି ।
ଏ କଥାକୁ ଆମେ ବିରୋଧ କରୁନାହୁଁ କିନ୍ତୁ ଯେଉଁ କାର୍ଯ୍ୟ ଆରମ୍ଭ ହେଉଛି ତାହା ଶେଷ ପର୍ଯ୍ୟନ୍ତ ଜାରି ରହିଲେ ଏହାର ଫାଇଦା ସାଧାରଣ ଲୋକ ପାଇପାରନ୍ତେ । ନଚେତ ଏଭଳି ଗୋଟିଏ ପରେ ଗୋଟିଏ କାର୍ଯ୍ୟ ହୋଇ ଅଯଥା ଖାଲି ଟଙ୍କା ଖର୍ଚ୍ଚ ହେଉଥିବ କିନ୍ତୁ ଫଳଘର ଶୂନ ରହିବ । ଆଶା କରିବୁ ଯେଉଁ ପଦକ୍ଷେପ କମିଶନରେଟ ପୂଲିସ ପୂର୍ବରୁ ନେଇଛି ତାହା କିଭଳି ଆଗକୁ ବଳବତ୍ତର ରହିବ ସେନେଇ ଦୃଷ୍ଟିଦେବେ ବିଭାଗୀୟ ମୁଖ୍ୟ ।