ଭୁବନେଶ୍ୱର,୮ା୨/(ବ୍ୟୁରୋ): ଆଉ କାହା ଦୋଷ ଲୁଚାଇବାକୁୁ ପୁଲିସ ଯେ କେତେ ତଳକୁ ଖସି ଯାଇପାରେ ତାହାର ଆଉ ଏକ ଅଭିଯୋଗ ଆସିଛି ନିଶ୍ଚିନ୍ତକୋଇଲି ଅଞ୍ଚଳରୁ । ଜଣେ ଦଳିତ ଲୋକକୁ ଜବରଦସ୍ତ ଉଠାଇ ନେଇ ନିସ୍ତୁକ ପିଟିଛି । ତାହା ପୁଣି ଲୁହା ପାଇପ୍ ରେ । ଏମିତି ମାଡ଼ ମରାଯାଇଛି ଯେ ଲୋଳା ବସିଯାଇଛି । ପୁଲିସର ଏପରି ଥାର୍ଡ ଡିଗ୍ରୀକୁ ନେଇ ଏବେ ସବୁଠି ଛିଛାକର ଶୁଣିବାକୁ ମିଳୁଛି ।
ସେପଟେ ପୁଲିସକୁ ମୁହଁତୋଡ ଜବାବ ଦେବା ଲାଗି ପୁଲିସ ମାଡ଼ରେ ଆହତ ହୋଇଥିବା ବ୍ୟକ୍ତି ଏବେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ନାଁ ଭ୍ରମରବର ମଲିକ୍ । ହଳଧରପୁର ଗାଁର ଭ୍ରମରବର ମଙ୍ଗଳବାର ବିଲରେ କାମ କରୁଥିଲେ । ଏତିକି ବେଳେ ଅଚାନକ୍ ଭ୍ୟାନ୍ ଲାଗିଲା ଆଉ ପୁଲିସ ବାବୁମାନେ ତାଙ୍କୁ ଜବରଦସ୍ତ ଉଠାଇ ନେଲେ । ବାସ୍ ଏହାପରେ ଦେଖିବାକୁ ମିଳିଥିଲା ପୁଲିସର ପୁଲିସିଆଗିରି । ଭ୍ରମରଙ୍କୁ ବାଧ୍ୟ କରାଯାଇଥିଲା ଏକ ଛଣ ଗଦାରେ ନିଆଁ ଲାଗିଥିବା ଘଟଣାକୁ ନିଜ ମୁଣ୍ଡକୁ ନେବା ଲାଗି ।
ଏଥିରେ ସେ ରାଜି ନହେବାରୁ ପୁଲିସ ବାବୁଙ୍କ ମୁଣ୍ଡକୁ ପିତ ଚଢ଼ିଥିଲା । ହାଜତ ଭିତରେ ଦିଆଯାଇଥିଲା ଥାର୍ଡଡିଗ୍ରୀ । ଏ କଥା ଆମେ କହୁନାହୁଁ ଆମ ପ୍ରତିନିଧିଙ୍କୁ କାନ୍ଦିକାନ୍ଦି କହିଛନ୍ତି ଭ୍ରମରବର । ଭୁଲ ଥିଲା ଏତିକି ସେ ପୁଲିସର ମିଛ କଥାକୁ ମାନି ନଥିଲେ । ପୁଲିସର ମାଡରେ ତାଙ୍କ ଚୋପା ଛାଡି ଯାଇଛି । ହାତ ଫୁଲି ଯାଇଥିବାରୁ ସେ କୌଣସି କାମ ଧନ୍ଦା କରିପାରୁନାହାଁନ୍ତି । ତାଙ୍କ ଉପରେ ପରିବାରର ପାଞ୍ଚ ଜଣ ଲୋକ ନିର୍ଭର କରନ୍ତି ।
ତାଙ୍କ ଅବସ୍ଥା ଦେଖି ପୂରା ପରିବାର ଭାଙ୍ଗି ପଡିଛନ୍ତି । ଏହା ଉପରେ କୌଣସି ସ୍ୱେଚ୍ଚାସେବୀ ସଙ୍ଗଠନ ହସ୍ତକ୍ଷେପ କରି ମାମଲାକୁ ମାନବାଧିକାର କମିଶନରଙ୍କ ପାଖରେ ପହଞ୍ଚାଇବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।