ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯାହା ଅନୁମାନ କରାଯାଉଥିଲା ଶେଷରେ ତାହା ହିଁ ହେଲା । ଏବେ ଡିଆଁ ମାରିଲା ଆଳୁ । ଦର ଆକାଶ ଛୁଆଁ । ଯାହାକୁ ନେଇ ଏବେ ଖାଉଟିଙ୍କ ଚିନ୍ତା ବଢ଼ିଯାଇଛି । ଲୋକେ ଆଳୁ ଲାଗି କଲବଲ ହେଲେଣି । ଏପରି ପରିସ୍ଥିତିରେ ଶୋଇଥିବା ଯୋଗାଣ ବିଭାଗ ଏବେ ଅଚାନକ ଉଠି ପଡିଛି । ପୂର୍ବରୁ ଆଳୁ କନ୍ଦେଇବ ବୋଲି ସତର୍କ କରାଇଥିଲେ ଯୋଗାଣ ମନ୍ତ୍ରୀ ।
ଯାହା ଏବେ ସତ ହେବାକୁ ବସିଛି । ଅଚାନକ ଦରଦାମ ବଢ଼ିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସେପଟେ ଆଳୁ କଳାବଜାରୀ ଉପରେ ନଜର ପକାଇଛି ଯୋଗାଣ ବିଭାଗ । କଳାବଜାରୀ କରୁଥିବା ଲୋକଙ୍କୁ ବାନ୍ଧିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଖୋଦ ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ଏନେଇ ଯାଞ୍ଚ ପ୍ରକୀୟା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ କଟକର ବିଭିନ୍ନ ଗୋଦାମରେ ଯୋଗାଣ ବିଭାଗ ଚଢ଼ାଉ କରିଛି । ଉଚିତ ପରିମାଣର ଆଳୁ ରହିଛି ନା ନାହିଁ ତାହାର ଟିକନିକ ଯାଞ୍ଚ କରୁଛି ।