ଭୁବନେଶ୍ୱର,୧୩ା୨/(ବ୍ୟୁରୋ): ଗୋଟିଏ ଧଳା ରଙ୍ଗର ହୁଣ୍ଡାଇ ଆସେଣ୍ଟ କାର । ଆଉ ତାହା ଭିତରେ ଥାନ୍ତି ୨ପୁଅ ଓ ୩ ଝିଅ । ଚାଲିଥାଏ ଜବରଦସ୍ତ ରୋମାନ୍ସ । ତାହା ପୁଣି ଚଳନ୍ତା ଗାଡିରେ । ରାଜରାସ୍ତାରେ ଗାଡି ଯେତିକି ଜୋରରେ ଚାଲିଥାଏ ଭିତରେ ଥିବା ଯୋଡିଙ୍କ ରୋମାନ୍ସ ସେଇ ସ୍ପିଡ୍ ରେ ଆଗେଇ ଚାଲିଥାଏ । ଖାଲି ଏତିକି ନୁହେଁ ଗାଡିଟି ପୂରା ବେଫିକର ହୋଇ ରାସ୍ତାରେ ସାପ ଗଲା ପରି ମାଡି ଚାଲିଥାଏ ।
ପରିସ୍ଥିତି ଏପରି ହୋଇଥିଲା ଯେ, ରୋମାନ୍ସରେ ଗାଡି ଡ୍ରାଇଭର ଏତେ ବିଭୋର ହୋଇଯାଇଥିଲେ ଶେଷରେ ପିସିଆର୍କୁ ସାଇଡ୍ ମାରିବାକୁ ବି ପଛାଇ ନଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଏମିତି ଏକ ଦୃଶ୍ୟ ପୂରା ନୟାପଲ୍ଲୀ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗାଡି ଭିତରେ ଆଉ କେହି ନୁହେଁ ବରଂ କେତେକ ଇଞ୍ଜିନିୟରିଂ କଲେଜ୍ ଛାତ୍ରଛାତ୍ରୀ ଥିବା ପୁଲିସ କହିଛି । ଯାହାକୁ ଧରିବା ଲାଗି ପୁଲିସକୁ କମ ପାମ୍ପଡ଼ ବେଲିବାକୁ ପଡିନି । ଶେଷରେ ଏକାମ୍ର ପାର୍କ ପାଖରେ ପୁଲିସ ଗାଡିଟିକୁ ଧରିଥିଲା ।
ତଥାପି ଗାଡି ଭିତରେ ଥିବା ପୁଅ ହେଉ ଅବା ଝିଅ କାହାର ତୋଡ କିଛି କମ୍ ନଥିଲା । ଭ୍ୟାଲେନଣ୍ଟାଇନ ଆଳରେ ଆମେ ଏନ୍ଜୟ କରୁଛୁ କହି ଯୁବତୀମାନେ ବେଶ୍ ତୋଡ୍ ଦେଖାଇଥିଲେ । କିନ୍ତୁ ରଙ୍ଗରୁଟ୍ ରେ ଆସିବା ଓ ସାଧାରଣ ଲୋକଙ୍କୁ ସାଇଡ୍ ମାରିବା କଥାରେ ସ୍ଥାନୀୟ ଲୋକେ ତାତିବା ପରେ ସମସ୍ତଙ୍କ ଅକଲ ଠିକଣା ପରେ ଧରିଥିଲା । ଏହାପରେ ପୁଲିସ ଚେତାବନୀ ସହ ଫାଇନ୍ କାଟି ସେମାନଙ୍କୁ ଯିବାକୁ ଦେଇଥିଲା ।