ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପଶିଥିଲେ ଚୋରି କରିବାକୁ । ହେଲେ ଫସିଗଲେ ନାଳରେ । କଥାଟା ଅଡୁଆ ଲାଗୁଥିଲେ ବି ବର୍ତ୍ତମାନ ରାଉରକେଲାରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା ରିପୋର୍ଟ ଅନୁସାରେ, ଉଦିତନଗର ଶୀତଳପଡା ଅଞ୍ଚଳର ୯ଜଣ ଯୁବକ ଚୋରି କରିବା ଲାଗି ଅଣ୍ଟା ଭିଡିଥିଲେ । ଟାର୍ଗେଟ କରିଥିଲେ ଷ୍ଟିଲ ପ୍ଲାଣ୍ଟକୁ । ତେବେ ଭିତରକୁ ପଶିବା ସମ୍ଭବ ନହେବାରୁ ପ୍ଲାଣ୍ଟ ଭିତରକୁ ଯାଇଥିବା ଏକ ବର୍ଜ୍ୟବସ୍ତୁ ନାଳକୁ ସୁବିଧା ବାଟ ବୋଲି ଭାବିଥିଲେ ।
କାଳବିଳମ୍ବ ନକରି ସେମାନେ ଭିତରକୁ ପଶିଥିଲେ । ତେବେ ଚୋରି କରିବେ କ’ଣ ଦୁର୍ଗନ୍ଧରେ ନୟାନ୍ତ ହୋଇ ସେଥିରୁ ୫ଜଣ ବାହାରି ଆସିଥିବା ବେଳେ ବାକି ୪ଜଣ ଫସିଯାଇଥିଲେ । ଏ ଘଟଣା ହେଉଛି ଗତ ୩ ତାରିଖର । ସବୁଠୁ ବଡ଼ କଥା ହେଉଛି ଫସିଥିବା ୪ଯୁବକ ଏଯାବତ ନାଳରୁ ବାହାରି ପାରିନାହାନ୍ତି । ସେମାନଙ୍କୁ ଉଦ୍ଧାର କରିବା ଲାଗି ଏବେ ବି ପୁଲିସ ଓ ପ୍ଲାଣ୍ଟ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି ।
ସେପଟେ ୪ଜଣଙ୍କୁ ଉଦ୍ଧାର କରିବା ଲାଗି ୨ଜଣ ଯୁବକ ମଧ୍ୟ ସାମ୍ନାକୁ ଆସିଥିଲେ । ଜଣେ ଅଣ୍ଟାରେ ଦଉଡି ବାନ୍ଧି ଭିତରକୁ ଉଦ୍ଧାର କରିବା ଲାଗି ଯାଇଥିବା ବେଳେ ସେ ମଧ୍ୟ ଫସିଯାଇଥିଲେ । ବହୁ କଷ୍ଟରେ ଉପସ୍ଥିତ ଲୋକେ ଦଉଡିକୁ ଟାଣି ତାଙ୍କୁ ଉଦ୍ଧାର କରିଛନ୍ତି । ତେଣୁ ଆଉ କେହି ଭିତରକୁ ପଶିବା ଲାଗି ସାହାସ କରୁନାହାନ୍ତି ।