ଭୁବନେଶ୍ୱର,୮ା୨/(ବ୍ୟୁରୋ): ଘରେ ଭର୍ତ୍ତି ହୋଇଥିଲେ ବନ୍ଧୁ ବାନ୍ଧବ । ଖୁସିରେ ପୂରା ଘର ଉଠୁଥିଲା ଆଉ ପଡୁଥିଲା । ଆଉ ଟିକେ ସମୟ ଯାଇଥିଲେ ସବାରିରେ ବସି ସେ ବର ହୋଇ ଯାଇଥାନ୍ତେ । କିନ୍ତୁ ଭାଗ୍ୟର ଖେଳ ଥିଲା କିଛି ଅଲଗା । ଆଖି ପିଛୁଳାକେ ସବୁ କିଛି ଓଲଟାପାଲଟ ହୋଇଗଲା । ସବାରିରେ ବସି ବର ହୋଇଯିବେ କ’ଣ ବରଂ କୋଳେଇ ନେଲା କୋକେଇ । ବିଲ ଭିତରୁ ମିଳିଲା ମୃତଦେହ ।
ଏମିତି ଏକ ହୃଦୟ ବିବାଦରକ ଘଟଣା ପୂରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । କଟକସଦର କାନପୁର ଅନ୍ତର୍ଗତ ହରିପୁର ଗାଁରେ ଏଭଳି ଅଘଟଣ ଘଟିଛି । ମୃତ ଯୁବକଙ୍କ ନାଁ ଦୁର୍ଗାପ୍ରସାଦ ବେହେରା । ଗୁରୁବାର ସକାଳୁ ଏକ ବାଦାମ କିଆରି ମଧ୍ୟରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଛି ପୁଲିସ । ଆଠଗଡ଼ ଦର୍ଶନପୁରରେ ତାଙ୍କର ବାହାଘର ଠିକ୍ ହୋଇଥିଲା । ତେବେ ସୋମବାର ଠାରୁ ଦୁର୍ଗା କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ । ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖବର ମିଳିନଥିଲା । ମାତ୍ର ଗୁରୁବାର ସକାଳୁ ହରିପୁର ନିକଟ ଗଙ୍ଗାଢିପ ଗହୀର ବାଦାମ କିଆରୀରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।
ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ । ହତ୍ୟା କରିବା ପରେ କେହି ଏଠାରେ ତାଙ୍କୁ ପକାଇ ଦେଇଥିବା ସନ୍ଦେହ କରାଯାଉଛି । ନିକଟରୁ ବିଷ ବୋତଲ ପଡ଼ିଥିବାରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ମଧ୍ୟ ଅନୁମାନ କରାଯାଉଛି । ପ୍ରେମଜନିତ କାରଣରୁ ଏଭଳି ଘଟଣା ଘଟିଥିବା ବି ଆଲୋଚନା ହେଉଛି । ପୁଲିସ ପୂରା ଘଟଣାର ତଦନ୍ତ କରୁଛି ।