ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଘର ବାହାରେ ଥିବା ଜୋତା ଆପଣ ନଦେଖିକି ପିନ୍ଧୁଛନ୍ତି କି? ତେବେ ସାବଧାନ । ଘଟିପାରେ ଅଘଟଣ । ଚାଲି ଯାଇପାରେ ଜୀବନ । ଆଜି ଏଭଳି ଏକ ଘଟଣା ନଜରକୁ ଆସିଛି ପଟିଆ ଅଞ୍ଚଳରେ । ଯଦିଓ ସୌଭାଗ୍ୟବସତଃ ୭ବର୍ଷର ସ୍କୁଲ ଛାତ୍ର ଅଳ୍ପକେ ସାପ କବଳରୁ ରକ୍ଷା ପାଇଯାଇଛି । ତଥାପି ତା’ ମନରେ ଭୟ ଘର କରିଯାଇଛି ।
ସ୍କୁଲ ଯିବାକୁ ରେଡି ହୋଇ ଜୋତା ପିନ୍ଧୁଥିବା ବେଳେ ଜୋତା ଭିତରୁ ବାହାରିଛି ନାଗସାପ । କେବଳ ଏତିକି ନୁହେଁ ସାପ କାମୁଡିକୁ ଚେଷ୍ଟା କରିଥିଲେ ବି ଛାତ୍ର ଜଣଙ୍କ ମୋଟା ସକ୍ସ ପିନ୍ଧିଥିବା ଯୋଗୁ କୌଣସି ଅଘଟଣ ଘଟି ନାହିଁ । ମିଳିଥିବା ରିପୋର୍ଟ ଅନୁସାରେ, ପଟିଆରେ ରହୁଥିବା ବୁଲୁ ରଞ୍ଜନ ରାଉତଙ୍କ ପୁଅ ରିଷଭ ସ୍କୁଲ ଯିବା ଲାଗି ବାହାରେ ଥିବା ଜୋତା ପିନ୍ଧିବାକୁ ଯାଇଥିଲେ । ଠିକ ଏତିକି ବେଳେ ଜୋତା ଭିତରେ ଥିବା ସାପ ରିଷଭଙ୍କୁ କାମୁଡି ଥିଲା । ତୁରନ୍ତ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମୋଟା ସକ୍ସ ଯୋଗୁ ବିଷ ଦେହକୁ ଯାଇନଥିବା ଜଣାପଡିଥିଲା । ରିଷଭ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ସେପଟେ ଖବର ପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କରିଥିବା ଜଣାପଡିଛି ।