ଭୁବନେଶ୍ୱର,୧୩ା୨/(ବ୍ୟୁରୋ): ଯାଇଥିଲେ ଭବିଷ୍ୟତ ଗଢିବା ପାଇଁ । ପାଠ ପଢାକୁ ନେଇ ସବୁଦିନ ସ୍କଲକୁ ଦୀର୍ଘ କିଲୋମିଟରର ରାସ୍ତା ଯାଉଥିବା ଏହି ସପ୍ତମ ଶ୍ରେଣୀ ଛାତ୍ରୀ କଣ ବା ଜାଣିଥିଲେ ଯେ ସୋମବାର ତାଙ୍କ ଜୀବନରେ ଭୟକଂର ମୋଡ ଆଣିବ । ଅପରାହ୍ନ ସମୟରେ ସ୍କୁଲରୁ ଫେରୁଥିବା ବେଳେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣର ଶିକାର ହେବାକୁ ପଡିଛି । ଘଟଣାଟି ଘଟିଛି ବାଲିଅନ୍ତା ଥାନା ଅଧିନ ବଙ୍ଗୁଆରୀ କେନାଲ ବନ୍ଧରେ । ଏନେଇ ଆଜି ପାହାଳ ଫାଣ୍ଡିରେ ସଂପୃକ୍ତ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ।
ଘଟଣାରୁ ପ୍ରକାଶ, ନାବାଳିକା ଛାତ୍ରୀ ଜଣଙ୍କ ଉକ୍ତ ଥାନା ଅଧିନରେ ଥିବା ଏକ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି । ଗତ ସୋମବାର ସେ ଅପରାହ୍ନ ୩ଟା ସମୟରେ ସାଇକେଲ୍ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ କେନାଲ ବନ୍ଧରେ ଜଣେ ଯୁବକ ତାଙ୍କୁ ଅଟକାଇ ଥିଲେ । ଏଥିସହ ଉକ୍ତ ଯୁବକ ଜଣଙ୍କ ତାଙ୍କୁ ପାଞ୍ଚ ଶହ ଟଙ୍କା ଜାଚିବା ସହ ଅଶ୍ଲୀଳ ଇଙ୍ଗିତ କରିଥିଲେ । ଏହାକୁ ଛାତ୍ରୀ ଜଣଙ୍କ ବିରୋଧ କରିବା ସହ ବାଟକାଟି ଚାଲିଯିବାକୁ ଚେଷ୍ଟା କରିଥିଲେ । ହେଲେ ଯୁବକ ଜଣଙ୍କ ତାଙ୍କର ବାଟ ଓଗାଳିଥିଲେ । ଏହାକୁ ନେଇ ଉକ୍ତ ଛାତ୍ରୀ ଓ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଯୁବକ ଜଣଙ୍କ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଠେଲାପେଲା କରିଥିଲେ । ଜୀବନ ବଞ୍ଚାଇବାକୁ ଯାଇ ସେଠାରୁ ଯୁବତୀ ଜଣଙ୍କ ଖସି ଆସିଥିଲେ । ହେଲେ ଘଟଣାକୁ ଭୁଲି ପାରିନଥିଲେ । ଏହାକୁ ତାଙ୍କୁ ଗଭୀର ଆଘାତ ଦେଇଥିଲା । ଘରେ ଗୁମସୁମ ହୋଇ ବସିବାରୁ ପରିବାର ଲୋକେ ତାଙ୍କୁ ବୁଝାସୁଝା କରିଥିଲେ । ଅନେକ ବୁଝାସୁଝା ପରେ ସେ ଘଟଣା ସମ୍ପର୍କରେ କହିଥିଲେ । ପରେ ତାଙ୍କ ବାପା ଆଜି ଦିନ ସମୟରପେ ଆସି ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ସେହି କେନାଲ ବନ୍ଧରେ ପୋଲିସ ପାଟ୍ରୋଲିଂ ସଠିକ୍ ଭାବରେ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଯଦି ଆଜି ଜଣେ ସ୍କୁଲ ଛାତ୍ରୀଙ୍କ ସହ ଏପରି ହୋଇ ପାରୁଛି ଆଗାମୀ ଦିନରେ ଏହା ଅନ୍ୟମାନଙ୍କ ସହ ଯେ ନହେବ ତାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି ।