ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଆରମ୍ଭ ହେଲା ଖୋଳତାଡ । ଚିଟଫଣ୍ଡ ସ୍କାମକୁ ନେଇ ଧୀମା ପଡିଥିବା ସିବିଆଇ ପୁଣି ଆରମ୍ଭ କରିଛି ତନଘନା । ଟାର୍ଗେଟରେ ରହିଛନ୍ତି ସିସୋର ଚିଟଫଣ୍ଡ ମାମଲାରେ ଜଡିତ ଥିବା ୨ଜଣ ଆଇଏଏସ ଅଧିକାରୀ । ଏଥିପାଇଁ ସେମାନଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି । ସୋମବାର ସିବିଆଇ ଅଫିସରେ ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଥିବା ଜଣାପଡିଛି ।
ସିବିଆଇ ସ୍କାନରକୁ ଆସିଥିବା ୨ ଅଧିକାରୀ ହେଲେ ପରାଗ ଗୁପ୍ତା ଓ ସଂଗ୍ରାମ କେଶରୀ ରାୟ । ଏଠାରେ ସୂଚନାଯୋଗ୍ୟ, ପରାଗ ଗୁପ୍ତା ଏବେ କେନ୍ଦ୍ର ସରକାରଙ୍କ ଖାଦ୍ୟ ପ୍ରକିୟାକରଣ ଶିଳ୍ପ ଯୁଗ୍ମ ସଚିବ ରହିଛନ୍ତି । ତେବେ ପରାଗ ଗୁପ୍ତା ପର୍ଯ୍ୟଟନ ସଚିବ ଥିବା ସମୟରେ ସିସୋର ସହିତ ରାଜ୍ୟ ସରକାରଙ୍କ ୨ଟି ଚୁକ୍ତି ହୋଇଥିଲା । ସେ ଗୁଡିକ ହେଲା ମହାନଦୀର ବୋଟ ପ୍ରକଳ୍ପ ଓ ଖୋର୍ଦ୍ଧା ଅଟ୍ରିରେ ଥିବା ସରକାରୀ ଗେଷ୍ଟ ହାଉସ । ସେହି ସମୟରେ ସଂଗ୍ରାମ କେଶରୀ ରାୟ ବିଭାଗର ମହାପ୍ରବନ୍ଧକ ଥିବାରୁ ସେ ମଧ୍ୟ ସିବିଆଇ ସ୍କାନରକୁ ଆସିଛନ୍ତି ।