ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସ୍କୁଲର ଶୌଚାଳୟରେ ଜଣେ ଏଲକେଜି ଛାତ୍ରଙ୍କ ସହ ଅସଦାଚରଣ ଘଟଣା ପୂରା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଁଚଳରେ । ଏକ ପ୍ରତିଷ୍ଠିତ ସ୍କୁଲରେ ଘଟିଥିବା ଏହି ନିନ୍ଦନୀୟ ଘଟଣାକୁ ଚପାଇ ଦେବା ଲାଗି ଏବେ ଜୋରଦାର ଉଦ୍ୟମ କରାଯାଉଛି । ଏତିକି ନୁହେଁ ଘଟଣାରେ ସ୍କୁଲର ମୁଖ୍ୟଙ୍କୁ ଅଚାନକ ବଦଳି କରାଯିବା ଏବେ ଆଲୋଚନାର ବିଷୟ ହୋଇଛି ।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ଏଲକେଜିରେ ପଢ଼ୁଥିବା ଏକ ଛାତ୍ରଙ୍କୁ ସେହି ସ୍କୁଲର ଆଉ ଜଣେ ଛାତ୍ର ଶୌଚାଳୟକୁ ନେଇ ତାଙ୍କ ସହ ଅନୈତିକ କାର୍ଯ୍ୟ କରିଥିଲେ । ଏ କଥା ଜଣାପଡିବା ପରେ ସ୍କୁଲର ମୁଖ୍ୟ ସମ୍ପୃକ୍ତ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଚେଷ୍ଟା କରିଥିଲେ । ତେବେ ଗତ ଶନିବାର ଘଟିଥିବା ଏହି ଘଟଣାରେ ସ୍କୁଲ ବଦନାମ ହେବା ଭୟରେ ସ୍କୁଲର କର୍ତୃପକ୍ଷ ଯଥା ସମ୍ଭବ ଘଟଣାକୁ ଚପାଇ ଦେବା ଲାଗି ଉଦ୍ୟମ ଚଳାଇଛନ୍ତି । ଏଥିପାଇଁ ସ୍କୁଲର ମୁଖ୍ୟଙ୍କୁ ବିଦା କରାଯାଇଥିବା ମଧ୍ୟ ସୂଚନା ମିଳିଛି । ସେପଟେ ନିର୍ଯାତନାର ଶିକାର ଛାତ୍ରଙ୍କ ପରିବାର ପକ୍ଷରୁ ମଧ୍ୟ ଏନେଇ ତନାଘନା ହୋଇଥିଲେ ବି ସ୍କୁଲ କର୍ତୃପକ୍ଷ ଯେନତେନ କଥାକୁ ଚପାଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି ।