ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ବିଚ ବଜାରରେ ଲୁଟ । ତାହା ପୁଣି ପୁଲିସ ପରିଚୟ ଦେଇ । ବ୍ରହ୍ମପୁର ଟାଉନ ଥାନା ଅଞ୍ଚଳରେ ଘଟିଥିବା ଏମିତି ଘଟଣା ଏବେ ଟାଉନ ଥାନା ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଉଠାଇଛି ପ୍ରଶ୍ନ । ଅଭିଯୋଗ ହୋଇଛି ପୂରା ଅଞ୍ଚଳରେ ଫେଲ ମାରିଛି ପାଟ୍ରୋଲିଂ ବ୍ୟବସ୍ଥା । ଥାନା ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଢ଼ିଲାପଣ ଯୋଗୁ ଅପରାଧୀମାନେ ନିଜକୁ ପୁଲିସ ପରିଚୟ ଦେଇ ଲୁଟ କରିବାକୁ ମଧ୍ୟ ପଛାଇ ନାହାନ୍ତି ।
ଗୋଷାଣୀ ନୂଆଗାଁ ଅଞ୍ଚଳରେ ମହିଳା ସୀତାଦେବୀ ଖାଡଙ୍ଗା ହଷ୍ଟେଲ ସମ୍ମୁଖରୁ ଲୁଟର ଶିକାର ହୋଇଥିଲେ । ପାଖାପାଖି ୧୫ଭରି ସୁନା ଲୁଟି ନେଇଥିଲେ ଦୁର୍ବୃତ୍ତ । ତେବେ ଘଟଣାକୁ ୨୪ଘଣ୍ଟାରୁ ଅଧିକ ବିତିଯାଇଥିଲେ ମଧ୍ୟ ପୁଲିସ ଏଯାବତ ଦୁର୍ବୃତ୍ତଙ୍କ ଟେର ପାଇନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଲୁଟେରାମାନେ ଭରା ବଜାରରେ ନିଜକୁ ପୁଲିସ ପରିଚୟ ଦେଇ ଲୁଟ କରୁଛନ୍ତି ଅଥଚ ଅସଲ ପୁଲିସ ସେମାନଙ୍କ ଗନ୍ଧବାସ୍ନା ନପାଇବା ଏକାଧିକ ପ୍ରଶ୍ନ ଛିଡା କରୁଛି ।
ଗତ କିଛିଦିନର ପୁଲିସ ରେକର୍ଡକୁ ଦେଖିଲେ ବ୍ରହ୍ମପୁର ଅଞ୍ଚଳରେ ବଢ଼ିଛି ଲୁଟେରାଙ୍କ ଉତ୍ପାତ । ସେ ଟ୍ରକ ଅଟକାଇ ଲୁଟ ହେଉ ଅବା କାହାର ଟଙ୍କା । ପ୍ରତିଟି କ୍ଷେତ୍ରରେ ପୁଲିସକୁ ଚ୍ୟାଲେଞ୍ଜ କରି ଦୁର୍ବୃତ୍ତମାନେ ଘଟାଇଛନ୍ତି ଗୋଟିଏ ପରେ ଗୋଟିଏ କାଣ୍ଡ । ଏଭଳି ପରିସ୍ଥିତିରେ ଲୁଟେରାଙ୍କ ଉପରେ କଡ଼ା ନଜର ରଖିବା ବଦଳରେ ଟାଉନ ଥାନା ପୁଲିସ ଢ଼ିଲା ମାରୁଥିବା ଲୋକେ ପ୍ରକାଶ କରିଛନ୍ତି ।