ଭୁବନେଶ୍ୱର,୧୨ା୨/(ବ୍ୟୁରୋ): ଉପର ଏକଦମ୍ ଚକାଚକ୍ । ହେଲେ ଭିତର ଫମ୍ପା । ସିଧା କହିବାକୁ ଗଲେ ମହାକାଳ ଫଳ । ରାଜଧାନୀର ରାସ୍ତାକୁ ଏମିତି ସାର୍ଟି ଫିକେଟ୍ ଦେଲେ ହୁଏତ କିଛି ଭୁଲ ହେବନି । କାରଣ ଲଗାତାର ଘଟୁଥିବା ଏଭଳି କିଛି ଘଟଣା ଏସବୁର ପ୍ରମାଣ ଦେଉଛି ।
ନିକଟରେ ପ୍ରଦର୍ଶନୀ ପଡିଆ ସମ୍ମୁଖ ରାସ୍ତାରେ ଏକ ଟ୍ରକ ଓଲଟି ପଡିଥିଲା । ରାସ୍ତା ଦବି ଯିବାରୁ ଏପରି ଘଟଣା ଘଟିଥିଲା । ଯଦିଓ ଏଥିରେ ବିଶେଷ କିଛି କ୍ଷତି ହୋଇନଥିଲା କିନ୍ତୁ ଘଟଣାକୁ ନେଇ ପୂରା ଅଚଂଳରେ ଆତଙ୍କ ଖେଳିଯାଇଥିଲା । ଆଜି ପୁଣି ସମାନ ଘଟଣା ନଜରକୁ ଆସିଛି ପାୱାରହାଉସ ଛକରେ । ଏଥରକ ଫସିଛି କଲେଜ ବସ । ରାସ୍ତା ଏମିତି ଦବି ଯାଇଥିଲା ଯେ, ପାଣି ଭସ ଭସ ହୋଇ ରାସ୍ତାରେ ଲହଡି ମାରିଥିଲା ।
ସବୁଠୁ ବଡ଼ କଥା ଥିଲା ଅଳ୍ପକେ ବର୍ତ୍ତିଯାଇଥିଲେ ବସରେ ଥିବା ଛାତ୍ରଛାତ୍ରୀ । ଏହି ଘଟଣାକୁ ନେଇ ବେଶ୍ କିଛି ସମୟ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା । ନାକେଦମ ହୋଇଥିଲା ପୁଲିସ । ସବୁଠୁ ବଡ଼ କଥା ହେଉଛି ଦବି ଥିବା ରାସ୍ତା ରାଜ୍ୟପାଳଙ୍କ ବାସଭବନକୁ ସଂଯୋଗ କରୁଥିବା ବେଳେ ଏମିତି ଏକ ଘଟଣା ଆଲୋଚନାର ବିଷୟ ହୋଇଛି । ପୂର୍ତ୍ତବିଭାଗ କେତେ ସ୍ୱଚ୍ଛତାର ସହ ତା’ର କାର୍ଯ୍ୟ କରିଛି ଏହି ଘଟଣା ତା’ର ପ୍ରମାଣ ଦେଇଛି ବୋଲି ଲୋକେ କହୁଛନ୍ତି । ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ନଚେତ୍ ଆଗକୁ ଆଉ ଏକ ବଡ଼ ଅଘଟଣ ନଘଟିବ ତାହା କିଏ କହିବ?