ଜାମ୍ମୁ- କାଶ୍ମିର (ଏଟିଆର ବ୍ୟୁରୋ ) ; ସହିଦ ହେଲେ ସର୍ଜିକାଲ ଷ୍ଟ୍ରାଇକର ହିରୋ । ସୀମାରେ ଶତୃ ସହ ଲଢି ଭାରତ ପାଇଁ ନିଜ ଜୀବନକୁ ଉତ୍ସର୍ଗିତ କଲେ ଜଣେ ସାହସୀ ଭାରତୀୟ ଯବାନ । ତାଙ୍କ ମୃତ୍ୟୁରେ ଦେଶରେ ଖେଳିଯାଇଛି ଶୋକର ଛାୟା । ସହିଦ ଯବାନଙ୍କ ନାମ ସନ୍ଦୀପ ସିଂହ । ପାକିସ୍ତାନର ସୀମାରେ ପଶି ଆତଙ୍କବାଦୀ ଓ ସେମାନଙ୍କ ଅଡ୍ଡାକୁ ଧ୍ୱଂସ କରିଥିବା ଭାରତୀୟ ସର୍ଜିକାଲ ଷ୍ଟ୍ରାଇକ ଟିମର ଜଣେ ସଦସ୍ୟ ହିସାବରେ କାର୍ଯ୍ୟ କରିଥିଲେ ସନ୍ଦୀପ ।
ସୂଚନା ଅନୁସାରେ , ଜାମ୍ମୁ କାଶ୍ମିରର ଗଙ୍ଗଧାର ସେକ୍ଟରରେ ଭାରତୀୟ ସେନା ପକ୍ଷରୁ ଅନୁପ୍ରବେଶକାରୀଙ୍କ ବିରୋଧରେ ଅପରେସନ ଜାରି ରହିଥିଲା । ଆତଙ୍କବାଦୀ ମାନେ ସୀମା ପାର ହୋଇ ଭାରତୀୟ ସୀମାରେ ପଶୁଥିବାର ଖବର ପାଇଁ ସେନା ଆରମ୍ଭ କରିଥିଲା ଅପରେସନ । ଏହି ଅପରେସନରେ ସନ୍ଦୀପ ମଧ୍ୟ ସାମିଲ ହୋଇଥିଲେ । ଏହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ସନ୍ଦୀପ ସହିଦ ହୋଇଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ଯେ ସନ୍ଦୀପ ନିଜ ପ୍ରାଣ ହରାଇବା ପୂର୍ବରୁ ୨ ଜଣ ଅତଙ୍କବାଦୀଙ୍କୁ ନିପାତ କରିଥିଲେ ।
ଅନ୍ୟପଟେ ପୂର୍ବରୁ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ ଯେଉଁ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲେ ସେଥିଲେ ସନ୍ଦୀପ ମଧ୍ୟ ଜଣେ ପାରା କମାଣ୍ଡୋ ଭାବେ ଭାଗ ନେଇଥିଲେ । ସେ ସ୍ପେସାଲ ଫୋର୍ସର ମଧ୍ୟ ଜଣେ ସଦସ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି । ତାଙ୍କ ମୃତ୍ୟୂ ଖବର ଜଣାପଡିବା ପରେ ବିଭିନ୍ନ ମହଲରେ ଶୋକ ଦେଖାଦେଇଛି । ସାରା ଦେଶର ବିଭିନ୍ନ କୋଣରୁ ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ସୋସିଆଲ ମିଡିଆ ମାଧ୍ୟମରେ ସନ୍ଦୀପଙ୍କ ଉଦ୍ଦେଶ୍ୟରେ ଶୋକବାର୍ତ୍ତାମାନ ପୋଷ୍ଟ କରାଯାଉଛି । ତେବେ ସନ୍ଦୀପଙ୍କ ଘରେ ତାଙ୍କ ସ୍ତ୍ରୀଙ୍କ ସମେତ ୫ ବର୍ଷର ଗୋଟିଏ ପୁଅ ମଧ୍ୟ ଅଛନ୍ତି । ବାସ୍ତବ ଜୀବନରେ ସନ୍ଦୀପ ଜଣେ ହିରୋ ଥିଲେ ।