ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଫେଲ ମାରିଛି ଏୟାରସେଲ ଟେଲିକମ ସର୍ଭିସ । କିଛି ନାହିଁ ହଠାତ ଲାଇନ କାଟିଦେଲେ । ସିଗ୍ନାଲ ଜମା ଆସିଲାନି । ପଚାରିଲେ ଆଜି ଆସିବ କାଲି ଆସିବ କହୁଛନ୍ତି । କାମ ଚାଲୁଛି ସେଥିପାଇଁ ଏମିତି ହେଉଛି ବୋଲି କହୁଛନ୍ତି । ଗଲା ମାସେ ହେବ ଏମିତି ଭଣ୍ଡାଉଛନ୍ତି ବିଭାଗୀୟ କର୍ମଚାରୀ । ଗୋଟେ ଫାର୍ସ ଚଳାଇଛନ୍ତି । ଯଦି ସର୍ଭିସ ନଦେଇ ପାରିବେ ସିଧା ସଳଖ କୁହନ୍ତୁ । ଏମିତି ଠକିବାର ମାନେ କ’ଣ? ତାଙ୍କ ଉପରେ ଭରସା କରି ଲୋକେ ରିର୍ଚାଜ କରି ଏବେ ନାମ ନେଉଛନ୍ତି । ନା ଫୋନ କାମ କରୁଛି, ନା ଏମାନେ କିଛି ବିକଳ୍ପ ବ୍ୟବସ୍ଥା କରୁଛନ୍ତି । ଯାହାକୁ ଦେଖ ତାଙ୍କ ମୁହଁରୁ ଏୟାରସେଲ କମ୍ପାନୀକୁ ନେଇ ଆଜି ଏମିତି ବିଷ ଓଗଳାଯାଉଛି ।
ମାସେରୁ ଅଧିକ ହେବ ଏହି ସମସ୍ୟା ଉପୁଜିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଫଳସ୍ୱରୂପ ଶତାଧିକ ଲୋକେ ଫର୍ଚ୍ୟୁନ ଟାୱାରରେ ଥିବା ମୁଖ୍ୟ ଅଫିସକୁ ଯାଇ ହଙ୍ଗାମା କରିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ସାମାନ୍ୟ ଭଙ୍ଗାରୁଜା ହୋଇଥିବା ଜଣାପଡିଛି । ପୂରା ଘଟଣାକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ପକ୍ଷରୁ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି । ଅଗ୍ରଣୀ ଟେଲିକମ ସଂସ୍ଥା ବୋଲାଉଥିବା ଏୟାରସେଲ ଓଡିଶାରେ ସେବା ଯୋଗାଇବାରେ ବିଫଳ ହୋଇଛି ।
କେବଳ ଭୁବନେଶ୍ୱର ନୁହେଁ ବରଂ ରାଜ୍ୟରେ ଏହାର ଉପଭୋକ୍ତାମାନେ ନାହିଁ ନଥିବା ସମସ୍ୟା ଭୋଗିଛନ୍ତି । ରାତାରାତି ସଂସ୍ଥାର ସିଗ୍ନାଲ ଗାଏବ ହୋଇଯାଇଛି । ପୂର୍ବରୁ ଲୋକେ ଏ ସମ୍ପର୍କରେ ପଚାରିବାରୁ କଷ୍ଟମରକେୟାର ପକ୍ଷରୁ ତାଙ୍କୁ ଅଶ୍ୱସନା ଦିଆଯାଇଥିଲା ଖୁବ ଶୀଘ୍ର ଏହାର ସମାଧାନ ହେବ । ହେଲେ ମାସେ ବିତିଗଲାଣି, ଏବେ ପଚାରିଲେ କମ୍ପାନୀ କର୍ତୃପକ୍ଷ ଖେଳୁଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହାର ସମାଧାନର ବାଟ କର୍ତୃପକ୍ଷ ବାହାର ନକଲେ ଆଗକୁ ପରିସ୍ଥିତି ଆହୁରି ଭୟାବହ ହେବ ବୋଲି ଲୋକେ ଚେତାଇ ଦେଇଛନ୍ତି ।