ଭୁୁବନେଶ୍ୱର,୧୧ା୨/(ବ୍ୟୁରୋ): ସାଲିଆସାହିରେ ଗତକାଲି ବିଳମ୍ବିତ ରାତିରେ ଏକ ପରିବାରର ତିନି ଜଣ ସଦସ୍ୟଙ୍କୁ ମାରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ୍ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସାଲିଆସାହି ନୀଳଚକ୍ରନଗରର ପ୍ରଭାକର ସାହୁ (୫୫), ଦୁଇ ପୁଅ ବିବେକବଚନ ସାହୁ (୨୨) ଓ ଦିବେଦୀ ଦେବେନ୍ଦ୍ର ସାହୁ (୨୦) । ଆକ୍ରମଣରେ ବ୍ୟବହୃତ ହୋଇଥିବା ଫାର୍ସା ଓ ଭୂଜାଲିକୁ ପୁଲିସ୍ ଜବତ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଘଟଣା ଘଟିଥିବା ପୁଲିସ୍ ତଦନ୍ତ ବେଳେ ଜାଣିବାକୁ ପାଇଛି । ଘଟଣାରେ ଜ୍ୱାଇଁ, ଶାଶୁ ଓ ପରିବାରର ଅନ୍ୟ ଜଣେ ସଦସ୍ୟ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ପରବର୍ତ୍ତୀ ସମୟରେ କଟକ ବଡ଼ ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା ।
ସୁଚନା ଅନୁଯାୟୀ, ନୟାଗଡ ବୋଲଗଡ ଥାନା ଅଧୀନ ଫିରିଫିରାପାଟଣା ଗ୍ରାମର କୃଷ୍ଣଚନ୍ଦ୍ର ସାହୁ, ପତ୍ନୀ ସଶ୍ମୀତା ସାହୁ ଓ ଶାଶୁ ଶୁଭାଷିନୀ ସାହୁ ନୀଳଚକ୍ରନଗର ବସ୍ତିରେ ରୁହନ୍ତି । କୃଷ୍ଣଚନ୍ଦ୍ର ଆଇଡି ମାର୍କେଟରେ ପରିବା ବ୍ୟବସାୟ କରନ୍ତି । ସେମାନଙ୍କ ପଡୋଶୀ ଭାବେ ରୁହନ୍ତି ପ୍ରଭାକର ସାହୁ ଓ ଦୁଇ ପୁଅ । ରାସ୍ତା ଯିବା ଆସିବାକୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି କଳିଝଗଡ଼ା ଲାଗି ରହିଥିଲା ।
ଗତ ୧୫ ଦିନ ପୂର୍ବରୁ ଉଭୟ ପକ୍ଷ ମାରପିଟ୍ ହେବା ଅଭିଯୋଗରେ ଥାନାରେ ଅପୋଷ ସମାଧାନ ହୋଇଥିଲା । ହେଲେ ପୂର୍ବ ରାଗକୁ ସୁଝାଇବାକୁ ଯାଇ କୃଷ୍ଣଚନ୍ଦ୍ର ଗତକାଲି ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଘରଠାରୁ ଶହେ ମିଟର ଦୂରରେ ଅଭିଯୁକ୍ତମାନେ ତାଙ୍କୁୁ ଆକ୍ରମଣ କରିଥିଲେ । କୃଷ୍ଣଚନ୍ଦ୍ର ତଳେ ପଡି ଚିତ୍କାର କରିବାରୁ ପାଟି ଶୁଣି ଶାଶୁ ଓ ଅନ୍ୟ ଜଣେ ସଦସ୍ୟ ଦୌଡି ଆସିଥିଲେ । ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ଆକ୍ରମଣ କରିଥିଲେ । ଏନେଇ କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ରଶ୍ମିତା ସାହୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଚଢାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସାହିର ଶତାଧିକ ବ୍ୟକ୍ତି ନୟାପଲ୍ଲୀ ଥାନା ଘେରାଉ କରିଥିଲେ । ୨୪ ଘଣ୍ଟା ଭିତରେ ସେମାନଙ୍କୁ ଗିରଫ କରିବା ପାଇଁ ଦାବି ମଧ୍ୟ କରିଥିଲେ ବିକ୍ଷୋଭକାରୀ ।