ଢ଼େଙ୍କାନାଳ,(ଏଟିଆର ବ୍ୟୁରୋ): ଦୁଇ ଡାକ୍ତରଙ୍କ କଳିରୁ ଜଣେ ରୋଗୀର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ମୃତ ରୋଗୀ ହେଉଛନ୍ତି ଗଦିଆ ଗଣ୍ଡୁରାପଶି ଗାଁର ତ୍ରୈଲୋକ ସାହୁ । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ତାଙ୍କୁ ହସପିଟାଲ ଅଣାଯାଇଥିଲା ।
ତେବେ ଡାକ୍ତରଙ୍କ କଳି ଯୋଗୁ ବିଚରା ତ୍ରୈଲୋକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ସେପଟେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ଜଣାପଡିଛି । କ୍ଷତି ପୁରଣ ଦାବି କରିଛନ୍ତି ଲୋକ । ସେପଟେ ମୃତ ତ୍ରୈଲୋକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ, ଚିକିତ୍ସା କିଏ କରିବ ସେନେଇ ଦୁଇ ଡାକ୍ତରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଗୋଟିଏ ପଟେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିଲା ଆଉ ଏପଟେ ଚାଲିଥିଲା ଡାକ୍ତରଙ୍କ କଥା କଟାକଟି ।
ଏମିତି ପାଖାପାଖି ଅଧଘଣ୍ଟା କାଳ ଚାଲିଥିବା କୁହାଯାଉଛି । କେବଳ ଏତିକି ନୁହେଁ କଥା କଟାକଟି ହୋଇ ଉଭୟ ଡାକ୍ତର ଅଫିସ ଭିତରକୁ ଚାଲିଯାଇଥିବା ବେଳେ ତଳେ ପଡି ଛଟପଟ ହେଉଥିଲେ ତ୍ରୈଲୋକ । ପରିବାର ଲୋକେ ଯେତେ କାକୁତିମିନତୀ ହୋଇଥିଲେ ମଧ୍ୟ ଡାକ୍ତରଙ୍କ କଳି ଦୁଇ ମାଙ୍କଡ଼ଙ୍କ ପିଠା ଖାଇବା ଭଳି ଛିଡିନଥିଲା । ଆଉ ଯେତେବେଳେ କଳି ଶେଷ କରି ଡାକ୍ତର ପହଞ୍ଚିଥିଲେ ସେତେବେଳକୁ ଆଖି ବୁଜିଥିଲେ ତ୍ରୈଲୋକ । ତେବେ ହସପିଟାଲରେ ଡାକ୍ତରଙ୍କ ଏଭଳି କଳି ଯୋଗୁ ଜଣେ ରୋଗୀର ମୃତ୍ୟୁ ହେବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।
ଡାକ୍ତର ଭଗବାନଙ୍କ ରୂପ ହୋଇଥିବା ବେଳେ ସାମାନ୍ୟ ବୁଝାମଣା ଯୋଗୁ ଏତେବଡ଼ ଅଘଟଣ ଘଟଇଥିବା କୁହାଯାଉଛି । ତେବେ ଘଟଣା ଯଦି ସତହୁଏ ତେବେ ତଦନ୍ତ କରି ଦୋଷୀ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।