ଭୁବନେଶ୍ୱର,୭ା୨/(ବ୍ୟୁରୋ): ପ୍ରେମଋତୁ ଆରମ୍ଭ ହେଲା କି’ ନାହିଁ ଅସମ୍ଭାଳ ପୂରା ପ୍ରେମୀଯୁଗଳ । ମାନୁନାହାନ୍ତି ବନ୍ଧବାଡ଼ । ଖାଲି ଉଠୁଛି ପଡୁଛି ପାର୍କ । ଫିଲ୍ଡହଲ୍, ରାସ୍ତାକଡ଼ ହେଉ କି’ ନିକାଞ୍ଜନ ଜାଗା, ସବୁଠି ଚାଲିଛି ଖୁଲମ୍ଖୁଲ୍ଲା ପ୍ରେମ । ଖାଲି ଏତିକି ନୁହେଁ ଏସବୁ ଦିନକୁ ମନେ ରଖିବା ଲାଗି ଏହାର ଭିଡ଼ିଓଠୁ ନେଇ ଫଟୋ ପର୍ଯ୍ୟନ୍ତ ନିଜେ ଉଠାଇ ରଖୁଛନ୍ତି । ଆମେ ପ୍ରେମକୁ ବା ସେମାନଙ୍କ ଫଟୋ ଉଠାଇବାକୁ ବିରୋଧ କରୁନାହୁଁ ।
କିନ୍ତୁ ଯେଉଁଭଳି ଅବସ୍ଥାରେ ରହି ସେମାନେ ସର୍ବସାଧାରଣ ସ୍ଥାନରେ ଫଟୋ ଉଠାଉଛନ୍ତି ତାହା ଭାଇରାଲ ହେବା ସ୍ୱାଭାବିକ । ପ୍ରେମଋତୁ ବା ଭାଲେନ୍ଟାଇନ୍ ଟାଇମ୍ ଆରମ୍ଭ ହୋଇଥିବାରୁ ଏହା ଉପରେ ଏକ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରିଥିଲା ଏଟିଏଆର୍ ନ୍ୟୁଜ୍ ଟିମ୍ । ଜାଣିବାକୁ ଚାହିଁଥିଲା ବାସ୍ତବରେ ଅବା ପ୍ରଥମ ଦିନରେ ରୋଜ୍ ଡେ’ରେ କେମିତି ପ୍ରେମୀଯୁଗଳ ନିଜର ପ୍ରେମକୁ ଜାହିର୍ କରୁଛନ୍ତି । ତେବେ ଯାହା ଆମ ନଜରରେ ପଡିଲା ତାହାର ପ୍ରମାଣ ଉପରୋକ୍ତ ଫଟୋ ।
ଭଲଭାବେ ଦେଖନ୍ତୁ ଫଟୋଟିକୁ । ପ୍ରେମିକ କୋଳରେ ବସିଛନ୍ତି ପ୍ରେମିକା । ନିଜ ନିଜ ଭିତରେ ଭାବର ଆଦାନପ୍ରଦାନ ବି ଚାଲିଛି । ସବୁଠୁ ବଡ଼କଥା ହେଉଛି ଏସବୁ ଘଟଣାର ବିନ୍ଦାସ୍ ଭିଡ଼ିଓ ରେର୍କଡିଂ ବି ଚାଲୁଛି । ଅନ୍ୟ କେହି ନୁହେଁ ଭିଡ଼ିଓ ରେର୍କଡିଂ କରୁଛନ୍ତି ଖୋଦ୍ ପ୍ରେମିକ । ଏଠି ପ୍ରଶ୍ନ ଉଠୁଛି, ଯଦି ଭବିଷତ୍ୟରେ କୌଣସି କାରଣକୁ ନେଇ ଏହି ପ୍ରେମୀଯୁଗଳଙ୍କ ମଧ୍ୟରେ ମତାନ୍ତର ଘଟେ ତାହା ହେଲେ ଆଗକୁ ଏହା କୌଣସି ସାଙ୍ଘାତିକ୍ ପରିସ୍ଥିତି ଉପୁଜିବ ନି ତ?
କାରଣ ନିକଟ ଦିନରେ ଅନେକ କଲେଜ୍ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ଘଟଣା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଚିନ୍ତାରେ ପଡିଥିଲା ପୁଲିସ । ତେବେ ଉପରୋକ୍ତ ଫଟୋ ବି ଏମିତି କିଛି ବୟାନ କରୁଛି । ଏ ସମ୍ପର୍କରେ ଜଣେ ବରିଷ୍ଠ ନାଗରିକଙ୍କ କହିବାନୁସାରେ, ପ୍ରେମ କରିବା ଭୁଲ ନୁହଁ କିନ୍ତୁ ପ୍ରେମ ନାଁରେ ଅଏସ୍ କରିବା ବିପଦ । ଏଥିପ୍ରତି ଅଭିଭାବକମାନେ ସଚେତନ ହେବା ଦରକାର ।