ବଲାଙ୍ଗିର,(ଏଟିଆର ବ୍ୟୁରୋ) : ଭାଇରାଲ ଜାଲରେ ପଶ୍ଚିମ ଓଡିଶା । ଗୋଟିଏ କି’ ଦୁଇଟି ନୁହେଁ ଏକାସଙ୍ଗେ ୩ଟି ଭିଡ଼ିଓ ଭାଇରାଲ କରାଯାଇଛି । ଯାହାକି ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ବଲାଙ୍ଗିର ଜିଲ୍ଲାରେ ଏକ ଦଶମ ଶ୍ରେଣୀ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହୋଇଛି । ଛାତ୍ରୀଙ୍କ ସରଳତାର ସୁଯୋଗ ନେଇ ଧୋକାବାଜ ପ୍ରେମିକ ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି ।
ସବୁଠୁ ବଡ଼ କଥା ହେଉଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ ସମ୍ବଲପୁର ଗୀତରେ ଏଡିଟିଂ କରାଯାଇଛି । ପରେ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଛାଡି ଦିଆଯାଇଛି । ଯାହା ଏବେ ସମସ୍ତଙ୍କ ମୋବାଇଲରେ ଘୁରି ବୁଲୁଛି । ସେହିପରି ୩ଜଣ କଲେଜ ଛାତ୍ରୀଙ୍କ ଆଉ ଏକ ଭାଇରାଲ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ରିପୋର୍ଟ କହୁଛି କଲେଜ ଛାତ୍ରୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଭିଡ଼ିଓ କଲିଂ କରିଥିଲେ । ଯାହାକୁ ଅତି ଚାଲାକର ସହ ପୁରୁଷ ବନ୍ଧୁ ଜଣଙ୍କ ରେକର୍ଡିଂ କରିନେଇଥିଲେ । ବାସ ଏହାପରେ ତାକୁ ସୋସିଆଲ ମିଡିଆରେ ଛଡାଯାଇଛି । କଣ୍ଟାମାଝି ଅଞ୍ଚଳରେ ମଧ୍ୟ ସମାନ ଏକ ଘଟଣା ନଜରକୁ ଆସିଛି ।
ତେବେ ଫରକ ଏତିକି ରହିଛି ଯେ ଉଭୟ(ପ୍ରେମିକ-ପ୍ରେମିକା) କେଉଁଠି ଏକ ନିଛାଟିଆ ସ୍ଥାନରେ ବସିଥିବା ବେଳେ ଅଚାନକ କେତେ ଜଣ ପହଞ୍ଚି ସେମାନଙ୍କୁ ଗାଳିମନ୍ଦ କରିବା ସହ ଉଭୟଙ୍କର ଭିଡ଼ିଓ ରେକର୍ଡିଂ କରିଥିଲେ । ଏହାପରେ ତାକୁ ଭାଇରାଲ କରାଯାଇଛି । ସେହିପରି ଆଉ ଏକ ଭାଇରାଲ ଭିଡ଼ିଓ ତ’ ସବୁ ସୀମା ଟପିଯାଇଛି । ଜଣେ ଛାତ୍ରୀଙ୍କୁ ୨ଜଣ ଯୁବକ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ବେଳେ ଏହାର ଭିଡ଼ିଓ ରେକର୍ଡିଂ ହୋଇଛି । ତେବେ କଥାବାର୍ତ୍ତାରୁ ଏହା ମଧ୍ୟ ବଲାଙ୍ଗିର ଜିଲ୍ଲାର କୌଣସି ଏକ କଲେଜର ଘଟଣା ବୋଲି ଅନୁମାନ କରାଯାଉଛି ।
ତେବେ ଏମିତି ଗୋଟିଏ ପରେ ଗୋଟିଏ ଘଟଣା ପୁଲିସ ଆଡଭାଇଜରର ଧଜିଆ ଉଡାଇଛି । ଏକ ପ୍ରମାଣ କରୁଛି ପୁଲିସର ସଚେତନତାର ବାର୍ତ୍ତାକୁ ଆଦୌ ଗ୍ରହଣ କରିନାହାନ୍ତି ବାଟ ହୁଡୁଥିବା ଯୁବଗୋଷ୍ଠୀ । ତେଣୁ ଏହାକୁ ଗୁରୁତର ସହ ନେଇ ପୁଲିସ ତଦନ୍ତ କରିବାକୁ ସବୁଆଡୁ ଦାବି ହୋଇଛି ।