ଚୌଦ୍ୱାର,(ଏଟିଆର ବ୍ୟୁରୋ): କଟକ ଚୌଦ୍ୱାର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା । କାନ୍ଥ ଭୁଷୁଡି ପଡିବାରୁ ବାପା-ମା’ଙ୍କ ଆଗରେ ଛୁଆର ଜୀବନ ଯାଇଛି । ଶନିବାର ରାତିରେ ଏହି ଅଘଟଣ ଘଟିଛି । ଘଟଣାରେ ବାପା-ମା’ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି ।
ରିପୋର୍ଟ କହୁଛି ଭରାଣ୍ଡି ଗାଁରେ ରହୁଥିବା ଟନି ପୂର୍ତ୍ତି ସବୁଦିନ ଭଳି ସ୍ତ୍ରୀ ଓ ପିଲା ଛୁଆଙ୍କୁ ଧରି ଘରେ ଶୋଇଥିଲେ । ତେବେ ବିଳମ୍ବିତ ରାତିରେ ଅଚାନକ ଘର କାନ୍ଥ ଭୁଷୁଡି ପଡିଥିଲା । ଯେଉଁଥିରେ ତାଙ୍କ ସାନପୁଅ(୫ବର୍ଷର) ମଧୁ କାନ୍ଥ ତଳେ ଚାପି ହୋଇ ଆଖି ବୁଜିଥିଲା । ଏହି ଘଟଣାରେ ଟନି ଏବଂ ତାଙ୍କ ପତ୍ନୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।