ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଆଇପିଏଲ ବେଟିଂକୁ ନେଇ ମାଲେମାଲ ପୁଲିସ । ପକେଟରେ ପସିଛି ପାଖାପାଖି ୧୨ଲକ୍ଷ ଟଙ୍କା । ଏମିତି ଚମକ୍ରାର ହାତସଫେଇ କରିଛି ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ । ଏଟିଆର ଅନୁସନ୍ଧାନରୁ ଏମିତି ଏକ ଘଟଣାର ପର୍ଦ୍ଦାଫାସ ହୋଇଛି । ଗତ ୧୩ତାରିଖ ସନ୍ଧ୍ୟାରେ ପୁଲିସ ଫାଷ୍ଟଗେଟ ନିକଟରେ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଥିଲା । ତେବେ ଘଟଣାସ୍ଥଳରୁ ୨ଜଣ ଫେରାର ହୋଇଯାଇଥିଲେ ।
ଗିରଫ ଅଭିଯୁକ୍ତଙ୍କ ପାଖରୁ ପୁଲିସ ମୋଟ ୭ଲକ୍ଷ ୬୧ହଜାର ଟଙ୍କା ସମେତ ମୋବାଇଲ ଜବତ କରି ବଡ଼ବଡିଆ ଅଧିକାରୀଙ୍କ ପାଖରେ ବାହାଷ୍ଫୋଟ ମାରିଥିଲେ । କିନ୍ତୁ ପ୍ରକୃତ କଥାକୁ ଲୁଚାଇ ରଖିଥିଲେ । ଆଇପିଏଲ ବେଟିଂରୁ ଜବତ ହୋଇଥିବା ଟଙ୍କାରୁ ଅଧାରୁ ଅଧିକ ମାରିନେଇଥିଲେ କର୍ମଚାରୀ । ଏ କଥା ଆମେ ନୁହେଁ ବରଂ ପୁଲିସ ହାତକଡ଼ି ପିନ୍ଧାଇଥିବା ଖୋଦ ଜଣେ ଅଭିଯୁକ୍ତଙ୍କ ଏଟିଆରକୁ ଏହି ସୂଚନା ଦେଇଛନ୍ତି । ସେ ଏହାମଧ୍ୟ କହିଛନ୍ତି ତାଙ୍କ ନିକଟରେ ମୋଟ ୧୪ଲକ୍ଷ ଟଙ୍କା ଥିଲା । ଯାହାକୁ ସେ ପୁଲିସକୁ ହସ୍ତାନ୍ତର କରିଥିଲେ । କେବଳ ସେ ଜଣେ ନୁହନ୍ତି ଆଉ ଜଣଙ୍କଠୁ ମଧ୍ୟ ୫ଲକ୍ଷ ଜବତ ହୋଇଥିବା ସୂଚନା ମିଳିଛି । ସେସବୁ ଟଙ୍କାର ବି ହିସାବ ଦେଇପାରୁନି ପୋଲିସ । ଏଠି ପ୍ରଶ୍ନ ୧୯ଲକ୍ଷ ଟଙ୍କା ପୁଲିସ ମୋଟ ଜବତ କରିଥିବା ବେଳେ କାହିଁକି ୭ଲକ୍ଷ ୬୧ ହଜାର ଟଙ୍କା ଦେଖାଇଲା ପୁଲିସ? ବାକି ଟଙ୍କା ଗଲା କୁଆଡେ? ଏହି ଟଙ୍କାକୁ ବରିଷ୍ଠ ଅଧିକାରୀ ବାଣ୍ଟି ନେଇନାହାନ୍ତି ତ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ଅନୁସନ୍ଧାନ ରିପୋର୍ଟ କହୁଛି ଥାନା ଅଧିକାରୀ ସୁରେଶ ତ୍ରିପାଠୀ ପୂରା ଘଟଣାର ମାଷ୍ଟର ମାଇଣ୍ଡ ଅଛନ୍ତି ।
ତାଙ୍କ ଜାଣତରେ ହିଁ ଏସବୁ ଟଙ୍କା ଚଳୁ ହୋଇଛି । ତେବେ ଘଟଣା କେତେଦୂର ସତ ତାହାର ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବ । ସେପଟେ ପୁଲିସର ଏଭଳି ଦଲାଲଗିରିକୁ ନାପସନ୍ଦ କରିଛନ୍ତି ସହରବାସୀ । କେବଳ ଏହି ଗୋଟିଏ ଘଟଣା ନୁହେଁ ବରଂ ଅନେକ ଘଟଣାର ଆଇଆଇସି ଜଣଙ୍କ ଚାଲସୋଭରାଜକୁ ବି ଟପିଯାଇଥିବା ଅନେକ ବରିଷ୍ଠ ନାଗରିକ ଏଟିଆରକୁ ଜଣାଇଛନ୍ତି । ତେବେ ଖୁବ ଶୀଘ୍ର ଏହାର ତଦନ୍ତ କରିବାକୁ ପୁଲିସ ଡିଜିଙ୍କୁ ଅନୁରୋଧ କରିଛନ୍ତି ସେମାନେ । ନଚେତ ପରବର୍ତ୍ତି ସମୟରେ ଏହା ଏକ ଆନ୍ଦୋଳନର ରୂପ ନେବାର ଆଶଙ୍କା ରହିଛି । ସୂଚନାଯୋଗ୍ୟ, ବଡ଼ବଜାର ଥାନା ଅଧିନରେ ଅନେକ ଅନୈତିକ କାର୍ଯ୍ୟ ସହ ବେଆଇନ କାରବାର ଦିନଦ୍ୱୀପ୍ରହରରେ ଚାଲୁଛି । ଯାହା ଦେଖି ଆଖି ବନ୍ଦ କରି ରଖିଛନ୍ତି ଖୋଦ ଥାନା ଅଧିକାରୀ । ଏଭଳି ଅନ୍ଧ ଅଭିନୟ କରିବା ପଛରେ ତାଙ୍କର କେଉଁ ଉଦ୍ଦେଶ୍ୟ ରହିଛି ତାହା ସବୁଠୁ ବଡ଼ ପ୍ରଶ୍ନ?